ଚଣ୍ଡିଗଡ଼ : ହରିୟାଣା ମୁଖ୍ୟମନ୍ତ୍ରୀ ହେଲେ ନାୟବ ସିଂହ ସୈନୀ। ନାୟବ ସିଂହ ସୈନୀ ଗୁରୁବାର ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଲଗାତର ଦ୍ଵିତୀୟ ଥର ପାଇଁ ସେ ଏହି ପଦରେ ଶପଥ ନେଇଛନ୍ତି। ପଞ୍ଚକୁଳାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୈନୀଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମଧ୍ୟ ଏହି ସମାରୋହରେ ଶପଥ ନେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ ୭ଜଣ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୭ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ୨ ଜଣ ମହିଳା ରାଷ୍ଟ୍ରମନ୍ତ୍ରୀ ଭାବେ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେତେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ସହ ଏନଡିଏର ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।