କେନ୍ଦୁଝର ଜିଲ୍ଲା ପ୍ରଶାସନ ଅନୁକୂଲ୍ୟରେ ଓ ମିଳନୀ ସାହିତ୍ୟ ସଂସଦ ର ସହଯୋଗରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରବିବାର ଦିନ ଗୀତଗୋବିନ୍ଦର ରଚୟିତା କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ମହାସମାରୋହରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦରବାର ହଲ୍ଠାରେ ପାଳିତ ହୋଇଯାଇଛି।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତା ସୁକ୍ଷମ ବିଲୁଙ୍ଗ ଯୋଗଦେଇ ସମାରୋହକୁ ଉଦ୍ଘାଟନ କରି ଉଦଵୋଧନ ଛଳରେ ଭକ୍ତକବି ଶ୍ରୀ ଜୟଦେବଙ୍କୁ ଜଣେ ମହାନ କବି ଭାବେ ବର୍ଣ୍ଣନା କରି ତାଙ୍କ ରଚିତ ଅମରକୃତି ଗୀତଗୋବିନ୍ଦ ସମଗ୍ର ବିଶ୍ବ କାବ୍ୟ ସାହିତ୍ୟରେ ଯୁଗ ଯୁଗ ଧରି କାଳଜୟୀ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ।ଶ୍ରୀ ଜୟଦେବ ଆମ ଓଡିଶାର ଗର୍ବ ଓ ଗୈାରବ ବୋଲି କହିବା ସହିତ ଜୟଦେବଙ୍କ ନୀତି ଓ ନୃତ୍ୟ ସଂପର୍କରେ ସାହିତ୍ୟିକମାନେ ଅଧିକ ମନୋନିବେଶ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଆହ୍ଵାନ ଜଣାଇଥିଲେ। ସମ୍ମାନନୀୟ ଅତିଥି ଭାବେ କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ଶ୍ରୀ ଜୟଦେବ ଏବଂ ତାଙ୍କର ଅମର ସୃଷ୍ଟି ଗୀତଗୋବିନ୍ଦର ବିଭିନ୍ନ ଦିଗ ଉପରେଆଲୋକପାତ କରି ଜୟଦେବ,ଏବଂ ଗୀତଗୋବିନ୍ଦର ବ୍ୟାପକ ପ୍ରଚାର,ପ୍ରସାର ଓ ସଚେତନତା ସୃଷ୍ଟି ଉପରେ ଗୁରୁତ୍ଵରୋପ କରି ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବା ପାଇଁ ସମସ୍ତେ ଆଗେଇ ଆସିବାକୁ ନିବେଦନ କରିଥିଲେ।ସମ୍ମାନିତ ଅତିଥି ଭାବେ ମିଳନୀ ସାହିତ୍ୟ ସଂସଦର ସଭାପତି ଦେବାଶିଷ ଚକ୍ରବର୍ତୀ ନିଜ ବକ୍ତବ୍ୟରେ ଶ୍ରୀ ଜୟଦେବଙ୍କୁ ରୂପ ସୌନ୍ଦର୍ଯ୍ୟର ଉପାସକ ଓ ଜିଲ୍ଲାର ବାଙ୍କମୟ ସାଧାନ ବୋଲି ଅଭିହିତ କରି ଗୀତଗୋବିନ୍ଦକୁ ପୃଥିବୀର ଏକ ଅନନ୍ୟ ଓ ଅନୁପମ ସୃଷ୍ଟି ବୋଲି କହିଥିଲେ।ଶ୍ରୀ ଜୟଦେବ ନିଜର କୃତୀ ଗୀତଗୋବିନ୍ଦରେ ରାଧାକୃଷ୍ଣଙ୍କ ମଧ୍ୟରେ ଥିବା ଅନାବିକ ଅନନ୍ତ ପ୍ରେମ ଓ ଭକ୍ତିର ଏକ ଅପୂର୍ବ ସମନ୍ଵ ସୃଷ୍ଟି କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଦାରବିନ୍ଦରେ ନିଜକୁ ସମର୍ପଣ କରିଦେଇଥିଲେ ବୋଲି କହିବା ସହିତ ଶ୍ରୀ ଜୟଦେବଙ୍କ କୃତୀ ଚିରଦିନ ପାଇଁ ଅମର ହେବ ରହିବ ବୋଲି କହିଥିଲେ।ଶ୍ରୀ ଜୟଦେବଙ୍କ ଜୀବନୀ ଓ ଗୀତଗୋବିନ୍ଦ ଉପରେ ଆଲୋକପାତ କରି ଶ୍ରୀ ଜୟଦେବଙ୍କୁ ଓଡିଶାର ବୋଲି କହିଥିଲେ ଏବଂ ଜୟଦେବଙ୍କ ସାରସ୍ଵତ କୀର୍ତି କିଭଳି ଓଡ଼ିଶାର ସାରସ୍ଵତ ଜଗତକୁ ପ୍ରଭାବିତ କରିଛି ତାହା ଅବତରଣା କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ମିଳନୀ ସାହିତ୍ୟ ସଂସଦର ସମ୍ପାଦନ ଅବସରପ୍ରାପ୍ତ ବରିଷ୍ଠ ପ୍ରଧାପକ ଡା: ଚିତ ମିଶ୍ର ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦର ଗୀତିମୟତା ଉପରେ ଆଲେଖ୍ୟ ବାଢି ଅନାବିଳ ପ୍ରେମ ଓ ଭକ୍ତିର ଏକ ଅପୂର୍ବ ସମନ୍ବୟ ସୃଷ୍ଟି କରି ସଂଗୀତକୁ ରସୋତିର୍ଣ୍ଣ କରିବାରେ ମାଟିର ମହାକବି ଶ୍ରୀ ଜୟଦେବ ସିଦ୍ଧହସ୍ତ ଥିଲେ ବୋଲି କହିବା ସହିତ ଶ୍ରୀ ଜୟଦେବ କେବଳ ସଂଗୀରକାର ନୁହନ୍ତି,ପ୍ରିତି ଓ ଭକ୍ତି ର ଅମନ୍ଦ୍ୟ ମନ୍ଦାକିନୀ ଧାରା ବହାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣାବିନ୍ଦରେ ନିଜକୁ ସମର୍ପଣ କରିଦେଇଥିଲେ।ଗୀତଗୋବିନ୍ଦ ଓଡିଆ ପ୍ରାଣପ୍ରବାହକୁ ଚଳ ଅଞ୍ଚଳ କରିଦିଏ।ଏହାର କମନୀୟ ପଦାବଳୀର ଅମୃତମୟ ରସାଶ୍ରୟୀ ବର୍ଣାଢ୍ୟ ବର୍ଣ୍ଣମାଳାରେ ସଜ୍ଜିତ ବାେଲି ଡା: ମିଶ୍ର କହିବା ସହିତ ପ୍ରତିଟି ଓଡିଆ ଶ୍ରୀ ଜୟଦେବ ଏବଂ ଗୀତଗୋବିନ୍ଦ ପାଇଁ ଗର୍ବ ଅନୁଭବ କରିବା ଉଚିତ୍ ବୋଲି କହିଥିଲେ।ମୁଖ୍ୟବକ୍ତା ଭାବେ ପଣ୍ଡିତ ରଙ୍ଗାଧର ବେହେରା ନିଜର ଓଜସ୍ବିନୀ ଭାଷଣରେ ଭକ୍ତକବି ଶ୍ରୀ ଜୟଦେବଙ୍କ ଜୀବନୀ, କୀର୍ତୀ ଓ କୃତୀ ଉପରେ ଆଲେକପାତ କରି ସେ କିପରି ଅନନ୍ୟ ତାହା ଅବତାରଣା କରିଥିଲେ।ଶ୍ରୀ ଜୟଦେବଙ୍କ ରଚିତ ଗୀତଗୋବିନ୍ଦର କାନ୍ତ କୋମଳ ପଦ୍ୟମୟ ଶୈଳୀ ଶ୍ରୋତା ଓ ପାଠକଙ୍କୁ ବିଭୋର କରିଦିଏ ବୋଲି କହିଥିଲେ।ଗୀତଗାେବିନ୍ଦ କେବଳ ଓଡିଶା କିମ୍ବା ଭାରତର ସଂମ୍ପଦ ନୁହେଁ ତାହା ସମଗ୍ର ବିଶ୍ବ ସାହିତ୍ୟର ଅମୂଲ୍ୟ ସଂମ୍ପଦ ବୋଲି କହିବା ସହିତ ଗୀତଗୋବିନ୍ଦ ସବୁବେଳେ ବିଶ୍ବ ସାହିତ୍ୟ ଆକାଶକୁ ଅନୁରଣିତ କରୁଥିବ ବୋଲି କହିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ତିନୀ ରାଉତ ନିଜ ବକ୍ତବ୍ୟରେ କହିଥିଲେ ଯେ ଶ୍ରୀ ଜୟଦେବ ଜୟନ୍ତୀ ପୂଜ୍ୟ ପୂଜାର ଏକ କଳା ଧାରା।ଗୀତଗୋବିନ୍ଦ କେବଳ ଏକ ଅନବଦ୍ୟ ସାରସ୍ଵତ ସୃଷ୍ଟି ନୁହେଁ ଏହା ତତ୍କାଳୀନ ଐତିହାସିକ,ଭୌଗଳିକ,ସାଂସ୍କୃତିକ,ସାମାଜିକ,ଅର୍ଥନୈତିକ ଓ ଧାର୍ମିକ ଚିନ୍ତାଧାରାର ବର୍ଣ୍ଣାଢ୍ୟ ଆଲେଖ୍ୟ ବୋଲି ସେ ଅବତାରଣା କରିଥିଲେ।ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ,କେନ୍ଦୁଝର ସଂଜୀବ ବାରିକ ପ୍ରାରମ୍ଭରେ ସ୍ବାଗତ ସମ୍ଭାଷଣ କରିବା ସହ କାର୍ଯ୍ୟକ୍ରମର ସଂଚଳନା କରିଥିଲେ।ପ୍ରାରମ୍ଭରେ ପଣ୍ଡିତ ମଧୁସୂଦନ ମିଶ୍ର ଗୀତଗୋବିନ୍ଦର “ଦଶାବତାର” ଆବୃତି କରିଥିଲେ।ପରେପରେ କବୟିତ୍ରୀ ଶୋଭନା ଜେନାଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବିମାନଙ୍କଦ୍ଵାରା ଶ୍ରୀ ଜୟଦେବ ଙ୍କ ଉପରେ ଆଧାରିତ କବିତା ଆବୃତି କରାଯାଇଥିଲା।ଶେଷରେ ମିଳନୀ ସାହିତ୍ୟ ସଂସଦର ଯୁଗ୍ମ ସଂପାଦକ ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
![](https://theajikali.com/wp-content/uploads/2023/04/9347fd86-ae4f-4535-b841-46d07a656eda-1024x468.jpg)
![](https://theajikali.com/wp-content/uploads/2023/04/57e68f12-b9d6-461f-9ce2-951719fa2425-1024x462.jpg)