ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ଵ ଦେଇ ଆସିଛନ୍ତି ଏବଂ ତାଙ୍କର ବଳିଷ୍ଠ ନେତୃତ୍ଵ , ଦୃଢ଼ ନିଷ୍ପତ୍ତି ଏବଂ ପ୍ରେରଣାଦାୟୀ ଦିଗ୍ଦର୍ଶନ ଯୋଗୁଁ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଆମେ ସାରା ଦେଶରେ ଏକ ଉଦାହରଣ ସୃଷ୍ଟି କରିପାରିଛୁ । ୨୦୦୫ରୁ ୨୦୨୦ ମସିହା ମଧ୍ୟରେ ଶିଶୁ ମୃତ୍ୟୁହାର କମିବା କ୍ଷେତ୍ରରେ ସମଗ୍ର ଦେଶରେ ଆମ ରାଜ୍ୟ ପ୍ରଥମ ସ୍ଥାନରେ ରହିଛି । ୨୦୧୫ରୁ ୨୦୧୭ ଏବଂ ୨୦୧୮ରୁ ୨୦୨୦ ମଧ୍ୟରେ ମତୃ ମୃତ୍ୟୁହାର କମିବା କ୍ଷେତ୍ରରେ ଆମେ ସାରା ଦେଶରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛୁ । ମହିଳା , ଶିଶୁ ଏବଂ କିଶୋରୀମାନଙ୍କୁ ସୁସ୍ଥ ଏବଂ ରୋଗମୁକ୍ତ ଜୀବନଯାପନ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଏହି ବିଭାଗ ନିରନ୍ତର ସେବା ଯୋଗାଇ ଆସୁଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ପ୍ରକାଶ କରିଛନ୍ତି ।
ଆଜି ଗୀତ ଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ବିକାଶ ବଜେଟ୍ ସମ୍ବନ୍ଧରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ କହିଲେ ଯେ ୨୦୨୩ – ୨୪ ବର୍ଷ ପାଇଁ ବିଭାଗର ମୋଟ ବଜେଟ ଆକଳନ ୩୬୭୦ କୋଟି ଟଙ୍କା ରହିଛି । ପୂର୍ବ ବର୍ଷ ଏହାର ପରିମାଣ ୩୫୬୬ କୋଟି ଟଙ୍କା ଥିଲା । ଚଳିତ ବର୍ଷ ବଜେଟ୍ରେ ଦୁଇଟି ନୂଆ ଯୋଜନା ଯଥା- ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ଏବଂ ଆଶୀର୍ବାଦ ଯୋଜନା ଉପରେ ଗୁରୁତ୍ଵ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନାରେ ୧୫ରୁ ୧୯ ବର୍ଷର କିଶୋରୀ , ଗର୍ଭବତୀ ମହିଳା ଏବଂ ୬ ବର୍ଷରୁ କମ ଅତିଶୟ ପୁଷ୍ଟିହୀନ SAM ଓ MAM ଶିଶୁମାନଙ୍କୁ ପୁଷ୍ଟିକର ପୋଷଣ ଯୋଗାଇ ଦିଆଯିବ ଏବଂ ସେଥ୍ପାଇଁ ୫ ବର୍ଷରେ ୨୬୭୩ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ଯୋଜନା ହୋଇଥିବା ସ୍ଥଳେ ଏ ବର୍ଷ ୨୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । କୋଭିଡ୍ ସମୟରେ ଯେଉଁ ଶିଶୁମାନେ ସେମାନଙ୍କର ବାପା , ମା’ଙ୍କୁ ହରାଇଛନ୍ତି , ସେମାନେ ସମ୍ମାନର ସହ ଚଳିବା ପାଇଁ ଏବଂ ଶିକ୍ଷା ଗ୍ରହଣରୁ ବଞ୍ଚିତ ନ ହେବା ପାଇଁ ଆଶୀର୍ବାଦ ଯୋଜନା ମାଧ୍ୟମରେ ଆର୍ଥିକ ସାହାଯ୍ୟ ଓ ସହାୟତା ଯୋଗାଇ ଦିଆଯାଉଛି । ସେଥ୍ରେ ୪୬୭୦୪ ଶିଶୁ ଉପକୃତ ହେଉଛନ୍ତି ଏବଂ ସେଥ୍ପାଇଁ ୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବିଭାଗର ଲୋକପ୍ରିୟ ଯୋଜନା ‘ ମମତା ’ ମାଧ୍ୟମରେ ୨୬୭୬.୪୨ କୋଟି ଟଙ୍କା ବିନିଯୋଗ କରି ୫୫.୮୪ ଲକ୍ଷ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ପୁଷ୍ଟିକର ତଥା ସ୍ଵାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣି ଶିଶୁ ମୃତ୍ୟୁହାର ଏବଂ ମାତୃ ମୃତ୍ୟୁହାର କମାଇବାରେ ଆମେ ସଫଳ ହୋଇପାରିଛୁ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ କହିଥିଲେ ।
ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା କହିଲେ ଯେ ୧୫ରୁ ୧୯ ବର୍ଷ ବୟସର କିଶୋରୀ – ବାଳିକା , ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମାଆ ଏବଂ ଅତ୍ୟଧିକ କମ ଓଜନର ଶିଶୁମାନଙ୍କର ପୁଷ୍ଟିହୀନତାକୁ ଦୂର କରିବା ଏହି ବିଭାଗର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏଥ୍ ନିମନ୍ତେ ରାଜ୍ୟରେ ୬ ବର୍ଷରୁ କମ୍ ସାମ୍ ( SAM ) ଏବଂ ମାମ୍ ( MAM ) ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ( ଏମ୍ଏସ୍ପିୱାଇ ) ପ୍ରଣୟନ କରିଛନ୍ତି । ଏହି ଯୋଜନାରେ ୨୦୨୩ରୁ ୨୦୨୭ – ୨୮ ମଧ୍ୟରେ ୩ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତାବିତ ହୋଇଛି । ମାଳତି ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ୯୧.୧୩ କୋଟି ଟଙ୍କାର ବଜେଟ ପ୍ରସ୍ତାବିତ ହୋଇଛି । ଏହି ଯୋଜନାରେ ପ୍ରାକ୍ ବିଦ୍ୟାଳୟ ପିଲାମାନଙ୍କୁ ଏକ ୟୁନିଫର୍ମ ଲୁକ୍ ପ୍ରଦାନ କରିବା ଏବଂ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗଦେବାକୁ ଉତ୍ସାହିତ କରିବା ପାଇଁ ଦୁଇଟି ୟୁନିଫର୍ମ , ଗୋଟିଏ ଯୋଡ଼ା ଜୋତା , ଗୋଟିଏ ଯୋଡ଼ା ମୋଜା ଏବଂ ଗୋଟିଏ ସ୍ଟେଟର ପିଲାମାନଙ୍କୁ ଦିଆଯାଉଛି । ୨୦୨୩ – ୨୪ ଆର୍ଥିକ ବର୍ଷରେ ଏମ୍ସ୍ପିୱାଇ ଯୋଜନାରେ ୨୫୦ କୋଟି ଟଙ୍କାର ବଜେଟ ପ୍ରସ୍ତାବିତ ହୋଇଛି ।
ସେହିପରି ସରକାର ବାଲ୍ୟବିବାହ ରୋକିବା ପାଇଁ ଏବଂ କିଶୋରୀମାନଙ୍କ ସଶକ୍ତିକରଣ ପାଇଁ ‘ ଅଗ୍ନିକା ’ ଯୋଜନା ପ୍ରଣୟନ କରିଛନ୍ତି । ଏଥୁ ନିମନ୍ତେ ୨୦୨୩ – ୨୪ ଆର୍ଥିକ ବର୍ଷରେ ୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି । ଏତଦ୍ବ୍ୟତୀତ ଅସହାୟ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟରେ ‘ ସ୍ୱଧାର ଗୃହ ’ ଓ ‘ ଉଜ୍ଜ୍ଵଳା ’ ଯୋଜନା କାର୍ଯ୍ୟରତ ରହିଛି । ଏହି ଯୋଜନା ମାଧ୍ୟମରେ ଅସହାୟ ଏବଂ ପୀଡ଼ିତା ମହିଳାମାନଙ୍କୁ ଉଦ୍ଧାର ତଥା ପୁନଃଥଇଥାନ କରାଯାଇ ସାମାଜିକ ସଂଯୋଗୀକରଣ ପାଇଁ ବ୍ୟବସ୍ଥା କରାଯାଉଛି । ୨୦୨୩ – ୨୪ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩୭.୭୭ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରଖାଯାଇଛି । ଏହା ବ୍ୟତୀତ ‘ ୱାନ୍ ଷ୍ଟପ୍ ସେଣ୍ଟର ’ ଏବଂ ୨୪ ଘଣ୍ଟିଆ ମହିଳା ହେଲ୍ପ ଲାଇନ୍ ନମ୍ବର ସହାୟତା କେନ୍ଦ୍ର ଯୋଜନା କାର୍ଯ୍ୟକାରୀ ହେଉଛି । ଏଥୁରେ ହିଂସା ଦ୍ଵାରା ପ୍ରଭାବିତ ମହିଳାମାନଙ୍କୁ ସାହାଯ୍ୟ ଏବଂ ସେବା ଯୋଗାଇ ଦିଆଯାଉଛି ଏବଂ ୨୪ ଘଣ୍ଟିଆ ଟୋଲ୍ ଫ୍ରି ସେବାର ବ୍ୟବସ୍ଥା ରହିଛି । ପୁଷ୍ଟିହୀନତାକୁ ଦୂର କରିବା ପାଇଁ ଓଡ଼ିଶା ନିଜର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛି ଏବଂ ଏଥ୍ ପାଇଁ ସପ୍ଲିମେଣ୍ଟାରୀ ନ୍ୟୁଟ୍ରିସନ୍ ପ୍ରୋଗ୍ରାମ ( ଏସ୍ଏନ୍ପି ) ଯୋଜନା ଏବଂ ପୋଷଣ ୨.୦ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଦୁଇଟି ଯୋଜନା ମାଧ୍ୟମରେ ୬ ବର୍ଷ ପର୍ଯ୍ୟନ୍ତ ଶିଶୁ , କିଶୋରୀ , ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପୁଷ୍ଟିହୀନତା ଦୂର କରାଯାଇପାରୁଛି । ୨୦୨୩– ୨୪ ଆର୍ଥିକ ବର୍ଷରେ ଏସ୍ଏନ୍ପି ଯୋଜନାରେ ୧୦୪୩ କୋଟି ଟଙ୍କା ଏବଂ ପୋଷଣ – ୨.୦ ଯୋଜନାରେ ୧୭୫ କୋଟି ଟଙ୍କାର ବ୍ୟୟବରାଦ ରହିଛି । ଯନ୍ତ୍ର ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କ ସୁରକ୍ଷା , ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ‘ ମିଶନ ବାତ୍ସଲ୍ୟ ’ ଯୋଜନା ଅଧ୍ଵନରେ ୮୫ କୋଟି ଟଙ୍କାର ବ୍ୟୟବରାଦ ରହିଛି । ମହିଳା ଏବଂ ଶିଶୁ ବିକାଶ ବିଭାଗ ହେଉଛି ରାଜ୍ୟର ଏକ ପ୍ରମୁଖ ସ୍ତମ୍ଭ ଯାହା ମହିଳା ଏବଂ ଶିଶୁଙ୍କ ସ୍ଵାସ୍ଥ୍ୟ ଏବଂ ପୁଷ୍ଟିକର ସ୍ଥିତିର ଉନ୍ନତି ତଥା ସେମାନଙ୍କ ସୁରକ୍ଷା ତଥା ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି । ୨୦୨୩ – ୨୪ ବର୍ଷରେ ଏହି ବିଭାଗ ସର୍ବମୋଟ ୩୬୭୦ କୋଟି ଟଙ୍କାର ବଜେଟ ପ୍ରସ୍ତାବ ରଖୁଛି , ଯେଉଁଥିରେ କି ୩୬୪୧ କୋଟି ଟଙ୍କା ଯୋଜନା ବ୍ୟୟ ଏବଂ ୨୯ କୋଟି ଟଙ୍କା ପ୍ରଶାସନିକ ବ୍ୟୟ ପ୍ରସ୍ତାବ ବୋଲି ଶ୍ରୀମତୀ ଶର୍ମା ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀକୁ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଗୁର୍ବୀର ସିଂ ପରିଚାଳନା କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସମ୍ମିଳନୀରେ ଉପସ୍ଥିତ ଥିଲେ ।