ବାଲେଶ୍ବର : ଭଦ୍ରକ ଜିଲା ଧାମରା କଲାମ୍ ଦ୍ବୀପରୁ ବହୁ ଦୂରଗାମୀ ଅଗ୍ନି-୩ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ବୁଧବାର ସନ୍ଧ୍ୟା ସାଢ଼େ ୭ଟା ସମୟରେ କଲାମ୍ ଦ୍ବୀପର ୪ ନମ୍ବର ଲଞ୍ଚପ୍ୟାଡ୍ରୁ ଏହି ପରୀକ୍ଷଣ କରାଯାଇଥିବା ବେଳେ ମିସନ୍ ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଅଗ୍ନି-୩କୁ ନିର୍ମାଣ କରିଛି। ଏଥିରେ ୩୫୦ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଥିବା ବେଳେ କ୍ଷେପଣାସ୍ତ୍ରର ଓଜନ ୫୦ ଟନ୍, ଲମ୍ବ ୧୭ ମିଟର, ଓସାର ୨ ମିଟର ଓ ଏହାର ଗତି ସେକେଣ୍ଡ ପ୍ରତି ୫ କିମି ରହିଛି। ଏହି କ୍ଷେପଣାସ୍ତ୍ରରେ ୨ ଷ୍ଟେଜ୍ ବିଶିଷ୍ଟ କଠିନଇନ୍ଧନ ବ୍ୟବହାର କରାଯାଇଥିବାବେଳେ ଏହା ୩୫୦୦ କିମିରୁ ୫ ହଜାର କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହି ମିସାଇଲ ଏକ ସଙ୍ଗେ ୧.୫ ଟନର ହତିଆର ନେବାର କ୍ଷମତା ରଖିଛି । ଏହି ମିସାଇଲର ଖାସିୟତ ହେଉଛି ଏଥିରେ ଦୁଇଟି ପର୍ଯ୍ୟାୟରେ ପ୍ରୋପେଲେଣ୍ଟ ଭରାଯିବ । ଆଜିର ପରୀକ୍ଷଣ ଏକ ମୋବାଇଲ ଲଞ୍ଚର୍ରୁ ହୋଇଥିଲା। ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ଅଗ୍ନି-୩। ସୂଚନା ଯେ, ଗତ ୨୦୧୯ରେ ଏହାର ପରିକ୍ଷଣ କରାଯାଇଥିଲା ।