ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାର ଚଳାଇଛନ୍ତି ବିଜେଡିର ଷ୍ଟାର୍ କ୍ୟାମ୍ପେନର୍ କାର୍ତ୍ତିକ ପାଣ୍ଡିଆନ। ହିଞ୍ଜିଳିକାଟୁ ଓ ଶେରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସହ ଆରମ୍ଭ କରିଥିବା ପ୍ରଚାର କ୍ରମରେ ସେ ଇତି ମଧ୍ୟରେ ଚିକିଟି, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡା ଓ ଛତ୍ରପୁର ପରେ ଆଜି ଭଞ୍ଜନଗର, ସୋରଡ଼ା, ପୋଲସରା ନିର୍ବାଚନମଣ୍ଡଳୀର ବୁଗୁଡ଼ା ଓ ସାନଖେମୁଣ୍ଡି ଠାରେ ବିଶାଳ ଜନ ସମାବେଶ କରିଛନ୍ତି। ପ୍ରତ୍ୟେକ ସ୍ଥାନରେ ତାଙ୍କୁ ଦେଖିବା, ଶୁଣିବା ତଥା ତାଙ୍କୁ ମିଶିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବିଜେଡି ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ବିପୁଳ ସମର୍ଥନ ଜଣାଇ ସଂଖ୍ୟାଧିକ ଭୋଟର ବ୍ୟବଧାନରେ ବିତାଇବାକୁ ନିବେଦନ କରିଛନ୍ତି। ଆହୁରି ମଧ୍ୟ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କହିବା ସହ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ବିବରଣୀ ଲୋକଙ୍କ ଆଗରେ ରଖିଛନ୍ତି। ଏଥିସହ ବିରୋଧୀ ଦଳ ଓ ପ୍ରାର୍ଥୀମାନେ କିଭଳି ଲୋକଙ୍କୁ ଭ୍ରମିତ କରୁଛନ୍ତି ତାହା ମଧ୍ୟ ସତର୍କ କରାଇ ଦେଇଛନ୍ତି।
ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ବେଳେ ବିରୋଧୀ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସେମାନେ ଶାସକ ଦଳର ବିରୋଧୀ ନୁହନ୍ତି, ବିକାଶ ବିରୋଧୀ। ଓଡ଼ିଶାର ସବୁ ବିକାଶ କାମକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ୍ ଶକ୍ତି ବନ୍ଦ କରିବାକୁ ବିଧିବଦ୍ଧ ଯୋଜନା ଚଳାଇଛନ୍ତି। ମାଆମାନଙ୍କ ଦୁବାଇ ଯିବା ବନ୍ଦ କରିଦେଲେ। ବିରୋଧୀଙ୍କୁ ଆହ୍ବାନ ଦେଇଛନ୍ତି ଯେ ସେମାନେ ଆସନ୍ତୁ, ଦେଖନ୍ତୁ ନବୀନ ବାବୁଙ୍କ ପ୍ରତି କିପରି ଜନ ସମର୍ଥନ ରହିଛି। କିପରି ଲୋକଙ୍କ ଭଲ ପାଇବା ଅଛି। ଏତେ ଖରାରେ ମଧ୍ୟ ଏଭଳି ବିଶାଳ ଜନସମୁଦ୍ର ଦେଖିଲେ ସେମାନେ ଠିକ୍ ବୁଝିପାରିବେ।
ଭଞ୍ଜନଗରରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଡ ଅଚ୍ୟୁତ ସାମନ୍ତ, ସୋରଡ଼ା- ବୁଗୁଡ଼ା- ସାନଖେମୁଣ୍ଡି ଠାରେ ଆସିକା ସାଂସଦ ପ୍ରାର୍ଥୀ ଡ ରଞ୍ଜିତା ସାହୁ ଉଦବୋଧନ ଦେଇଥିଲେ। ସେଠିକାର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ, ସଂଘମିତ୍ରା ସ୍ବାଇଁ, ଶ୍ରୀକାନ୍ତ ସାହୁ ଓ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଉପସ୍ଥିତ ଥିଲେ। ସେମାନେ ନିଜ ଉଦବୋଧନରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୀଠ ଠାରୁ ଆରମ୍ଭ କରି ଗାଁ ଗହଳିର ସବୁ ଧର୍ମ ପୀଠର ରୂପାନ୍ତରୀକରଣ କରିଛନ୍ତି। ଏ ହେଉଛି ଓଡ଼ିଶାର ଅସ୍ମିତାର ସୁରକ୍ଷା, ଆଉ କାହାର ଓଡ଼ିଆ ଅସ୍ମିତା ପାଇଁ ଚିନ୍ତା କରିବା ଆବଶ୍ୟକ ନାହିଁ। ଓଡ଼ିଶାର ସର୍ବାଙ୍ଗୀନ ବିକାଶର ମଙ୍ଗ ଧରିଛନ୍ତି ନବୀନ ପଟ୍ଟନାୟକ। ଆଉ ତାଙ୍କ ବିକାଶ ରଥର ସାରଥୀ ହେଉଛନ୍ତି କାର୍ତ୍ତିକ ପାଣ୍ଡିଆନ। ରଥୀ ସାରଥୀ ଯଦି ଏକାଠି ହେବେ, ଉଭୟଙ୍କ ଉଦ୍ଦେଶ୍ୟ ଯଦି ଏକ ହେବ, ତେବେ ଓଡ଼ିଶାର ବିକାଶ ଶିଖର ଛୁଇଁବ ବୋଲି ସେମାନେ କହିଛନ୍ତି।