ଗାନ୍ଧୀନଗର : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଆଜି ୧୪୭ତମ ଜନ୍ମ ଜୟନ୍ତୀ । ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଗୁଜୁରାଟର କେଭାଡିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ପରେଡରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ।
କର୍ତ୍ତବ୍ୟକୁ ପୂରଣ କରିବା ସହିତ ଦେଶର ଅଖଣ୍ଡତା ଏବଂ ଆମର ପ୍ରତ୍ୟେକ ପ୍ରୟାସ ସର୍ଦ୍ଦାର ପଟେଲଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ୨୦୪୭ରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରାଯିବ । ସେହି ବିକଶିତ ରାଷ୍ଟ୍ରର ସ୍ବପ୍ନ ଦେଖିଥିବା ନେତାଙ୍କ ମଧ୍ୟରେ ଜଣେ ହେଉଛନ୍ତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ । ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା ଥିଲା । ଆୟୋଜିତ ଏକତା ପରେଡରେ ରାଜ୍ୟ ପୋଲିସ ଓ କେନ୍ଦ୍ର ପୋଲିସ ଯିଏକି ଆମ ତ୍ରିରଙ୍ଗାର ବଳ ଅଂଶ ଗ୍ରହଣ କରିଛନ୍ତି ।
ସ୍ୱାଧୀନତା ପରେ ଦେଶକୁ ଏକ ଜାତୀୟ ସୂତ୍ରରେ ବାନ୍ଧି ରଖିଥିଲେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଥମେ ୨୦୧୪ରେ ଜାତୀୟ ଏକତା ଦିବସ ପାଳନ କରାଯାଇଥିଲା । ସ୍ୱାଧୀନତା ପରେ ସର୍ଦ୍ଦାର ପଟେଲ ଦେଶର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ମଧ୍ୟ ଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୩୧ ଅକ୍ଟୋବର ୧୮୭୫ରେ ଗୁଜୁରାଟର ନାଡିୟାଦରେ ଜନ୍ମଗ୍ରହଣ କରିଥିଲେ ।