ପୁରୀ : ଆସନ୍ତାକାଲି ଓଡ଼ିଶାର ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ । ଏହି ପରିପ୍ରେକ୍ଷୀରେ ପଢ଼ୁଆଁ ହେବେ ବଡ଼ ଠାକୁର । ବଡ଼ ଠାକୁର ଜଗନ୍ନାଥ ଓ ବଡ଼ ଭାଇ ବଳଭଦ୍ର, ମା’ ସୁଭଦ୍ରା ପଢ଼ୁଆଁ ହେବେ । ନୂଆ ବସ୍ତ୍ର, ତୁଳସୀ ପତ୍ର ଠାରୁ ଆରମ୍ଭ କରି ନୈବିଦ କରିବେ ସେବାୟତ । ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବଡ଼ ଠାକୁରଙ୍କ ମାମୁଁ ଘର ହେଉଛି କଟକ ଜିଲା ନିଆଳି ଅଞ୍ଚଳର ପ୍ରସିଦ୍ଧ ମାଧବାନନ୍ଦଜିଉ ।
ପ୍ରତିବର୍ଷ ଶ୍ରୀମନ୍ଦିରକୁ ମାଧବାନନ୍ଦଜିଉ ପକ୍ଷରୁ ପଢ଼ୁଆଁ କରାଯାଇଥାଏ । ଆଜି ମାଧବାନନ୍ଦଜିଉ ପୀଠରୁ ଶ୍ରୀକ୍ଷେତ୍ରକୁ ପଢ଼ୁଆଁ ଭାର ପଠାଯିବ । ଏଥିପାଇଁ ମାଧବାନନ୍ଦଜିଉ ବିକାଶ ପରିଷଦ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମାମୁଁ ଘର ମାଧବାନନ୍ଦଜିଉ ଟ୍ରଷ୍ଟ ଓ ବିକାଶ ପରିଷଦ ତରଫରୁ ଖଣ୍ଡୁଆପାଟ, ବିରି, ଅରୁଆ ଚାଉଳ, ନଡ଼ିଆ, ଘିଅ, ଭୋଗ, କଦଳୀ ଓ ତୁଳସୀପତ୍ର ଧରି ୩୬ ନିଯୋଗ କାନ୍ଧରେ ଧରି ଆଣି ଭଣଜା ନିକଟକୁ ଯିବେ । ଆସନ୍ତାକାଲି ତିନି ଠାକୁର ଖଣ୍ଡୁଆପାଟ ପିନ୍ଧି ପଢ଼ୁଆଁ ହେବେ । କିମ୍ବଦନ୍ତୀରୁ ଜଣାଯାଏ ଯେ ପୂର୍ବରୁ ରଥଯାତ୍ରାକୁ ମଧ୍ୟ ପ୍ରଥମ ନିମନ୍ତ୍ରଣ ମାଧବ ପୀଠରୁ ଯାଉଥିଲା । ଏହି ନିମନ୍ତ୍ରଣ ରକ୍ଷା କରି ମାଧବ ପ୍ରତିମା ଶୀକ୍ଷେତ୍ର ବିଜେ କରୁଥିଲେ । ବହୁ ବର୍ଷ ଧରି ଏସବୁ ସମ୍ପର୍କ ତୁଟିଯାଇଛି । ତଥାପି ଲୋକ ବିଶ୍ୱାସରେ ମାଧବ ପୀଠରୁ ମହାପ୍ରଭୁ ଶ୍ରୀମନ୍ଦିରକୁ ପଢ଼ୁଆଁ ଭାର ଯିବ ।