ଭୁବନେଶ୍ୱର : ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି । ଏବେ ପୁରୀ ଠାରୁ ଦକ୍ଷିଣପୂର୍ବ ଦିଗରେ ୭୦ କିମି ଦୂରରେ ଅବପାତ ରହିଛି । ଗୋପାଳପୁରରୁ ପୂର୍ବ ଦିଗରେ ୧୩୦ କିମି ଦୂରରେ ରହିଛି । ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ରହିଛି।
ଶନିବାର ସକାଳ ସୁଦ୍ଧା ଉତ୍ତରପଶ୍ଚିମ ମୁହାଁ ହୋଇ ପୁରୀ ଅତିକ୍ରମ କରିବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ୨୩ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି । ଶୁକ୍ରବାର କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁରକୁ ଲାଲ ସତର୍କ ସୂଚନା ଜାରି କରାଯାଇଛି । ଏହାସହ ୭ ଜିଲାକୁ କମଳା ଓ ୧୫ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି । ୨୦ରେ କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡାକୁ କମଳା ସତର୍କ ସୂଚନା ଜାରି କରାଯାଇଛି । ଆକସ୍ମିକ ବନ୍ୟା ସମସ୍ୟା ଦେଖାଦେଇପାରେ ।