ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥାତ ବୁଧବାର ହରିୟାଣା ଓ ପଞ୍ଜାବ ଗସ୍ତରେ ଯିବେ । ଏହି ଅବସରରେ ଦେଶ ଉଦ୍ଦେଶ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ହସ୍ପିଟାଲର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ହରିୟାଣାର ଫରିଦାବାଦ ଠାରେ ଅମୃତା ହସ୍ପିଟାଲର ଉଦଘାଟନ କରିବେ । ପରେ ପ୍ରଧାନମନ୍ତ୍ରୀ ମୋହାଲି ଯାଇ ଅପରାହ୍ନ ପ୍ରାୟ ୨ଟା ୧୫ ରେ “ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର”କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
ବୁଧବାର ପ୍ରଧାନମନତ୍ରୀ ନରେନ୍ଦ୍ର ମୋଦି ହରିୟାଣାରେ ଅମୃତା ହସ୍ପିଟାଲର ଉଦଘାଟନ କରିବେ । ଏହା ଫଳରେ ନ୍ୟାସନାଲ କ୍ୟାପିଟାଲ ରିଜିଅନ (ଏନସିଆର) ରେ ଆଧୁନିକ ଚିକିତ୍ସା ଭିତ୍ତିଭୂମି ଉପଲବ୍ଧତା ବୃଦ୍ଧି ପାଇବ । ମାତା ଅମୃତାନନ୍ଦମୟୀ ମଠ ଦ୍ୱାରା ପରିଚାଳିତ ସୁପର ସ୍ପେସିଆଲିଟି ହସ୍ପିଟାଲ ୨୬୦୦ ଶଯ୍ୟା ବିଶିଷ୍ଟ ହେବ । ପାଖାପାଖି ୬୦୦୦ କୋଟି ଟଙ୍କା ବ୍ୟୟରେ ଏହି ଡାକ୍ତରଖାନା ନିର୍ମାଣ ହୋଇଛି । ଫରିଦାବାଦ ଏବଂ ସମଗ୍ର ଏନସିଆର ଅଞ୍ଚଳର ଲୋକଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଏହି ମେଡିକାଲ ଯୋଗାଇ ଦେବ । ଏହାଦ୍ୱାରା ଅନେକ ଲୋକ ଲାଭବାନ ହୋଇପାରିବେ ।
ସେହିପରି ପଞ୍ଜାବରେ ଏକ ବିଶ୍ତସ୍ତରୀୟ କର୍କଟ ଚିକିତ୍ସା ସେବା ଯୋଗାଇବା ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ‘ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର’କୁ ମୋହାଲିରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୬୬୦ ଟଙ୍କାରୁ ଅଧିକ ମୂଲ୍ୟରେ ଏହି ହସ୍ପିଟାଲ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଓ ସହଯୋଗୀ ଅନୁଷ୍ଠାନ ଟାଟା ମେମୋରିଆଲ ସେଣ୍ଟର ଦ୍ୱାରା ନିର୍ମାଣ କରାଯାଇଛି । ଯାହାଫଳରେ କର୍କଟ ସେବା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ।
ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର ହେଉଛି ୩୦୦ ଶଯ୍ୟା କ୍ଷମତା ବିଶିଷ୍ଟ ଏକ ତ୍ରିସ୍ତରୀୟ ଚିକିତ୍ସା ହସ୍ପିଟାଲ । ଏଠି ସର୍ଜରୀ, ରେଡିଓ ଥେରାପି ଏବଂ ମେଡିକାଲ ଅଙ୍କୋଲୋଜି – କେମୋଥେରାପି, ଇମ୍ୟୁନୋଥେରାପି ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ ଭଳି ସମସ୍ତ ଉପଲବ୍ଧ ଚିକିତ୍ସା ପ୍ରଣାଳୀ ବ୍ୟବହାର କରି ସମସ୍ତ ପ୍ରକାରର କର୍କଟ ରୋଗର ଚିକିତ୍ସା ପାଇଁ ଆଧୁନିକ ସୁବିଧା ମିଳିବ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗତ ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତ କରିଥିଲେ। କିନ୍ତୁ କୃଷକଙ୍କ ବିରୋଧ ଯୋଗୁ ସେ ଏକ ଫ୍ଲାଏଓଭରରେ ପ୍ରାୟ ୨୦ ମିନିଟ ସମୟ ଅଚକି ରହିଥିଲେ । ହୁସୈନୀୱାଲା ଠାରୁ ୩୦ କିଲୋମିଟର ଦୂରରେ ଏହି ଘଟଣା ଘଟିଥିଲା । ତେବେ ଏହାକୁ ଗୁଇନ୍ଦା ବିଫଳତା ସହ ପଞ୍ଜାବ ପୋଲିସର ଦାୟୀତ୍ୱହୀନତା ବୋଲି କୁହାଯାଇଥିଲା। ତେବେ ସୁପ୍ରିମକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଗଠିତ କମିଚିକୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଥିଲା । ତେଣୁ ଏହି ଗସ୍ତ ବେଳେ ସେଭଳି ଅଘଟଣ ନ ଘଟିବା ପାଇଁ ପୋଲିସ ଓ କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।