ନୂଆଦିଲ୍ଲୀ : ଆଗାମୀ ଦିନରେ ଦେଶରେ ବୋର୍ଡ ପରୀକ୍ଷାର ସମୟ ଆରମ୍ଭ ହୋଇଯିବ। ଆଗାମୀ କିଛି ମାସରେ ଅଲଗା ଅଲଗା ବୋର୍ଡର ପରୀକ୍ଷା ହେବ। ବୋର୍ଡ ପରୀକ୍ଷାର ଡର ଓ ଷ୍ଟ୍ରେସ୍ ରୁ ଛାତ୍ରଛାତ୍ରୀ ବାଦ ପଡିବେନି। ଛାତ୍ରଛାତ୍ରୀଙ୍କ ଡର ଓ ଷ୍ଟ୍ରେସ୍ ଦୂର କରିବାକୁ ପୁଣି ଥରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଜାନୁୟାରୀ ୨୯ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଠଶାଳା ଅର୍ଥାତ ‘ପରୀକ୍ଷା ପେ ଚର୍ଚ୍ଚା’ ଅନୁଷ୍ଠିତ ହେବାକୁ ଯାଉଛି। ଛାତ୍ରଛାତ୍ରୀଙ୍କ ନିମନ୍ତେ ଜ୍ଞାନର ଭଣ୍ଡାର ଖୋଲିବେ ପ୍ରଧାନମନ୍ତ୍ରୀ।
ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କ ମନରୁ ଡର ଓ ଉତ୍ତେଜନା ଦୂର କରିବା ସହ ସ୍ମୃତି ଶକ୍ତି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ଫର୍ମୂଲା ମଧ୍ୟ କହିବେ। ଚଳିତବର୍ଷ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀଙ୍କ ଏହି ପାଠଶାଳା ନିମନ୍ତେ ଛାତ୍ରଛାତ୍ରୀଙ୍କ ଚୟନ କିପରି ହୁଏ ଆସନ୍ତୁ ଜାଣିବା।
ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଏଥର ପାଖାପାଖି ୪ ହଜାର ଷ୍ଟୁଡେଣ୍ଟସ୍ ଭାଗ ନେବେ। କିଛି ଛାତ୍ରଛାତ୍ରୀଙ୍କୁ ଭର୍ଚୁଆଲୀ କାର୍ଯ୍ୟକ୍ରମରେ ପ୍ରଶ୍ନ କରିବାର ସୁଯୋଗ ମଧ୍ୟ ଦିଆଯିବ। ଏହା ଛଡା ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଦୁଇ ଜଣ ଛାତ୍ର ଓ ଜଣେ ଲେଖାଏଁ ଶିକ୍ଷକଙ୍କୁ ସାମିଲ କରାଯିବା ସହ କଳା ଉତ୍ସବ, ବୀରଗାଥା ବିଜେତାଙ୍କୁ କାର୍ଯ୍ୟକ୍ରମକୁ ସ୍ପେଶାଲ ଗେଷ୍ଟ ଭାବେ ଆମନ୍ତ୍ରିତ କରାଯିବ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ କରାଯାଇପାରେ।
ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ନିମନ୍ତେ ଅଭିଭାବକ, ଶିକ୍ଷକ ଓ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନିମନ୍ତେ ‘ମାଇଁ ଜିଓଭି’ ପୋର୍ଟାଲରେ ଅନଲାଇନ ଏମସିକ୍ୟୁ ପ୍ରତିଯୋଗୀତା ୧୧ ଡିସେମ୍ବର ୨୦୨୩ରୁ ଆରମ୍ଭ ହୋଇଯାଇଛି, ଏହା ୧୨ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ। ଏଥିରୁ ୨,୦୫୦ ଆଶାୟୀଙ୍କୁ ମାଇଁ ଜିଓଭି ପୋର୍ଟାଲରେ ସେମାନଙ୍କ ଉତ୍ତର ଆଧାରରେ ବଛାଯିବ ଓ ସେମାନଙ୍କୁ ପରୀକ୍ଷା ପେ ଚର୍ଚ୍ଚା କିଟ୍ ଦିଆଯିବ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଇଂରାଜୀ ଓ ହିନ୍ଦୀର ଏକ ପରୀକ୍ଷା ଯୋଦ୍ଧା ପୁସ୍ତକ ସହିତ ସାର୍ଟିଫିକେଟ ମଧ୍ୟ ଦିଆଯିବ।