ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ଦେବାସ୍ ମଲ୍ଟିମିଡିଆ ପିଭି ଲିମିଟେଡର ସିଇଓ ରାମଚନ୍ଦ୍ରନ ବିଶ୍ୱନାଥନଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ (ଏଫ୍ଇଓ) ଘୋଷିତ କରିଛନ୍ତି। ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଇଡି ତରଫରୁ ବିଶ୍ଵନାଥନଙ୍କ ସହ ୯ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।
୨୦୧୮ର ଏହି ମାମଲାରେ ଏହି ସମସ୍ତ ଅଭିଯୁକ୍ତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ର ବାଣିଜ୍ୟିକ ଶାଖା ଆଣ୍ଟ୍ରିକ୍ସ କର୍ପୋରେସନ୍ ଠାରୁ ପ୍ରାପ୍ତ ୫୭୯ କୋଟି ଟଙ୍କା ମଧ୍ୟରୁ ୮୫ ପ୍ରତିଶତ ଅର୍ଥ ବେଆଇନ ଭାବେ ଆମେରିକା ପଠାଇଥିବା ଅଭିଯୋଗ ହୋଇଥିଲା ।
ଦୁର୍ଗମ ଅଞ୍ଚଳରେ ମଲ୍ଟିମିଡିଆ ସେବା ଯୋଗାଇବା ପାଇଁ ଦେବାସ ସହ ସରକାର ଚୁକ୍ତି କରିଥିଲେ । ତେବେ ୨୦୧୧ ମସିହାରେ ସରକାର ଏହି ଚୁକ୍ତି ବାତିଲ କରିଦେଇଥିଲେ। ୨୦୨୧ ମସିହାରେ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶରେ ଦେବାସ ମଲ୍ଟିମିଡ଼ିଆକୁ ବନ୍ଦ କରାଯାଇଥିଲା ।ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଏବଂ ପରେ ଇଡି ପୃଥକ ମାମଲା ରୁଜୁ କରିଥିଲା। ବିଶ୍ୱନାଥନ୍ ଏହି ମାମଲାର ଦ୍ୱିତୀୟ ଅଭିଯୁକ୍ତ। କୋର୍ଟ ବିଶ୍ଵନାଥନଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟ କହିଛନ୍ତି ଯେ ବିଶ୍ୱନାଥନଙ୍କୁ ସମନ ଜାରି କରାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା। ଏହି ୱାରେଣ୍ଟ ଏପର୍ଯ୍ୟନ୍ତ ରଦ୍ଦ ହୋଇନାହିଁ | ତେଣୁ ପଳାତକ ଅର୍ଥନୈତିକ ଅପରାଧୀ ଅଧିନିୟମର ଧାରା ୨(ଏଫ୍) ର ବିଶ୍ୱନାଥନଙ୍କ କ୍ଷେତ୍ରରେ ସ୍ପଷ୍ଟ ଲାଗୁ ହୋଇଛି ବୋଲି କୋର୍ଟ କହିଛନ୍ତି।