ରାଜକୋଟ୍: ଇଂଲଣ୍ଡ ବିପକ୍ଷରେ ପଦାର୍ପଣ ମ୍ୟାଚ୍ ଖେଳୁଥିବା ସରଫରାଜ ଖାନ ପ୍ରଥମ ଇନିଂସରେ ୬୨ ରନର ଧମାକଦାର ଇନିଂସ ଖେଳିଛନ୍ତି। ସେ ଭଲ ଫର୍ମରେ ନଜର ଆସୁଥିବା ବେଳ ରବୀନ୍ଦ୍ରା ଜାଡ଼େଜା ଓ ତାଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଯୋଗୁଁ ରନ ଆଉଟ୍ ହୋଇ ପାଭିଲିୟନ ଫେରିଛନ୍ତି। ଏଥିରେ ଜାଡ଼େଜା ମଧ୍ୟ ଦୁଃଖିତ। ପ୍ରଥମ ଦିନର ଖେଳ ସମାପ୍ତ ପରେ ରବୀନ୍ଦ୍ର ଜାଡ଼େଜା ସାମାଜିକ ଗଣମାଧ୍ୟମରେ ସରଫରାଜ ଖାନଙ୍କୁ କ୍ଷମା ମାଗିଛନ୍ତି। ଜାଡ଼େଜା କହିଛନ୍ତି ତାଙ୍କ ପକ୍ଷରୁ ରନ ପାଇଁ ଡାକିବା ଭୁଲ୍ ଥିଲା। ସରଫରାଜଙ୍କ ରନ ଆଉଟ୍ ପାଇଁ ମୁଁ ଦାୟୀ। ଜାଡ଼େଜା ପ୍ରଥମ ଦିନର ତୃତୀୟ ସେସନରେ ନିଜର ଶତକ ପୂରଣ କରି ୧୧୦ ରନ କରି ଅପରାଜିତ ଅଛନ୍ତି।
ରବୀନ୍ଦ୍ର ଜାଡ଼େଜା ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ସରଫରାଜଙ୍କ ପାଇଁ ଖରାପ ଲାଗିଲା। ଏହା ମୋର ଭୁଲ୍ କଲ୍ ଥିଲା। ସେ ବହୁତ ଭଲ ବ୍ୟାଟିଂ କଲେ”। ଉଲ୍ଲେଖନୀୟ ସରଫରାଜ ୬୨ ରନ କରି ଖେଳୁଥିବା ବେଳେ ଜାଡ଼େଜା ୯୯ ରନର ବ୍ୟକ୍ତିଗତ ସ୍କୋରରେ ଥିଲେ। ଜାଡ଼େଜା ୧ ରନ ନେବା ଚକ୍କରରେ ସରଫରାଜଙ୍କୁ ଡାକିଥିଲେ, ମାତ୍ର ମଝିରେ ମନା କରି ଦେଇଥିଲେ। ଆଉ ସେତିକି ବେଳେ ସରଫରାଜଙ୍କ ପାଇଁ କ୍ରିଜରେ ପହଞ୍ଚିବାର ସମୟ ନ ଥିଲା। ମାର୍କ ଉଡ ସିଧାସଳଖ ଥ୍ରୋ କରି ସରଫରାଜଙ୍କୁ ରନ ଆଉଟ୍ କରିଥିଲେ।