ନୂଆଦିଲ୍ଲୀ: ସୁନା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମାର୍ଚ୍ଚ ୩୦ ପରେ ଯଦି ଆପଣ ସୁନା କିମ୍ବା ସୁନା ଅଳଙ୍କାର କିଣିବାକୁ ଯାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସୁନା ଓ ସୁନା ଅଳଙ୍କାର କ୍ରୟ-ବିକ୍ରୟ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଆଣିଛନ୍ତି। ଏପ୍ରିଲ ୧ ପରେ ସୁନା ପାଇଁ ନୂଆ ହଲମାର୍କ ଲାଗୁ ହେବ । କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ।
ମନ୍ତ୍ରଣାଳୟ କହିଛି ଯେ ‘୪ ଅଙ୍କ ଏବଂ ୬ ଅଙ୍କ ବିଶିଷ୍ଟ ହଲମାର୍କିଂକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦୂର କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ନୂତନ ନିୟମ ଅନୁଯାୟୀ, ଏପ୍ରିଲ୍ ୧ ରୁ କେବଳ ଛଅ ଅଙ୍କ ବିଶିଷ୍ଟ ଆଲଫା ନ୍ୟୁମେରିକ୍ ହଲମାର୍କିଂ ବୈଧ ହେବ । ଏହି ନୂଆ ହଲମାର୍କିଂ ବିନା ସୁନା ଓ ସୁନା ଅଳଙ୍କାର ବିକ୍ରି ହୋଇପାରିବ ନାହିଁ । ଏହାଛଡ଼ା ଚାରି ଅଙ୍କ ବିଶିଷ୍ଟ ହଲମାର୍କିଂ ସଂପୂର୍ଣ୍ଣ ବନ୍ଦ ହୋଇଯିବ । ସୁନାର ଶୁଦ୍ଧତା ଚିହ୍ନଟ ପାଇଁ ହଲମାର୍କିଂ ବ୍ୟବହାର କରାଯାଏ । ଏହି ନିୟମ ଇଚ୍ଛାଧୀନ ଭାବ ୧୬ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଲାଗୁ ଥିଲା।
ସୂଚନା ଯେ, ଅନେକ ହଲମାର୍କ ୟୁନିକ୍ ଆଇଡି (ଏଚୟୁଆଇଡ଼ି) ନମ୍ବର ଅଳଙ୍କାର ଚିହ୍ନଟ ପାଇଁ ବ୍ୟବହୃତ ହୁଏ । ଏଚୟୁଆଇଡ଼ି ନମ୍ବର ହେଉଛି ଏକ ଛଅ ଅଙ୍କ ବିଶିଷ୍ଟ ଆଲଫା ନ୍ୟୁମେରିକ୍ କୋଡ୍ ଯାହା ସାହାଯ୍ୟରେ ଗ୍ରାହକ ଅଳଙ୍କାର ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଥା’ନ୍ତି । ଏହାଛଡ଼ା ଅଳଙ୍କାର ବେପାରୀଙ୍କୁ ବିଏସ୍ ପୋର୍ଟାଲରେ ଏହି ସବୁ ସୂଚନା ଅପଲୋଡ୍ କରିବାକୁ ପଡ଼ିଥାଏ ।