ନୂଆଦିଲ୍ଲୀ: ତାଙ୍କ ଟିମ୍ ଇଣ୍ଡିଆ ସାଥୀ ଖେଳାଳି କେଏଲ୍ ରାହୁଲଙ୍କୁ ସର୍ବ ସମ୍ମୁଖରେ ଭର୍ତ୍ସନା କରିବା ନେଇ ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ସାମି ଲକ୍ଷ୍ନୌ ସୁପର ଜାଏଣ୍ଟସର ମାଲିକ ସଞ୍ଜୀବ ଗୋଏଙ୍କାଙ୍କ ଉପରେ ବର୍ଷିଛନ୍ତି। ଆଇପିଏଲରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ଠାରୁ ଦଳର ଲଜ୍ଜାଜନକ ପରାଜୟ ପରେ ଲକ୍ଷ୍ନୌ ମାଲିକ ମ୍ୟାଚ୍ ପରେ ରାହୁଲଙ୍କ ଉପରେ ତୀବ୍ର ଅସନ୍ତୋଷ ଝାଡ଼ିଥିଲେ । ସାମି କହିଛନ୍ତିି କ୍ରୀଡ଼ା କ୍ଷେତ୍ରରେ ଏପରି ଆଚରଣର ସ୍ଥାନ ନାହିଁ ।
ଲକ୍ଷ୍ନୌ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ଠାରୁ ୧୦ ୱିକେଟରେ ହାରିବା ପରେ ଗୋଏଙ୍କା ତାଙ୍କ ଦଳର କ୍ୟାପଟେନ୍ ରାହୁଲଙ୍କ ଉପରେ କ୍ରୋଧ ପ୍ରକାଶ କରୁଥିବା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବାରେ ସାମି ହେଉଛନ୍ତି ପ୍ରଥମ ଭାରତୀୟ କ୍ରିକେଟର୍।
ଗୋଡ଼ରେ ଅପରେସନ ଯୋଗୁଁ ଚଳିତ ଆଇପିଏଲରେ ଖେଳୁନଥିବା ସାମି ‘କ୍ରିକବଜ୍ ଲାଇଭ୍’ରେ କହିଛନ୍ତି, କୋଟି କୋଟି ଲୋକ ଆପଣଙ୍କୁ ଦେଖୁଛନ୍ତି ଏବଂ ଆପଣଙ୍କଠାରୁ ଶିଖୁଛନ୍ତି। ଯଦି ଏଭଳି ଜିନିଷ କ୍ୟାମେରା ସାମ୍ନାରେ ଘଟେ ଏବଂ ସ୍କ୍ରିନରେ ଏପରି ପ୍ରତିକ୍ରିୟା ଦେଖିବାକୁ ମିଳେ, ତେବେ ଏହା ଲଜ୍ଜାଜନକ। କଥାବାର୍ତ୍ତା କରିବାର ଏକ ସୀମା ଅଛି, ଏଭଳି ଘଟଣା ଭୁଲ୍ ବାର୍ତ୍ତା ଦେବ ।”
ଟିଭି ଭାଷ୍ୟକାର ଗ୍ରାମ୍ ସ୍ମିଥ୍ ଏବଂ ସ୍କଟ୍ ଷ୍ଟାଇରିସ୍ ମଧ୍ୟ ଗୋଏଙ୍କାଙ୍କ ଉଗ୍ର ପ୍ରତିକ୍ରିୟା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏଭଳି ଘଟଣା କ୍ୟାମେରା ଆଗରେ ନୁହେଁ, ବ୍ୟକ୍ତିଗତ ଭାବେ ହେବା ଉଚିତ ବୋଲି ସେମାନେ କହିଥିଲେ।
ସାମି କହିଛନ୍ତି, “ଏହା ମନେ ରଖିବା ଉଚିତ ଯେ ଖେଳାଳିମାନଙ୍କ ସମ୍ମାନ ଅଛି । ଆପଣ ମାଲିକ ଭାବେ ମଧ୍ୟ ଜଣେ ସମ୍ମାନନୀୟ ବ୍ୟକ୍ତି। ଆପଣ ଯଦି କିଛି କହିବାକୁ ଚାହୁଁଛନ୍ତି ତେବେ ଏହାର ଅନେକ ଉପାୟ ଅଛି | ଆପଣ ଡ୍ରେସିଂ ରୁମ୍ କିମ୍ବା ଟିମ୍ ହୋଟେଲରେ ଏହା କରିପାରିଥାନ୍ତେ। ପଡ଼ିଆରେ ଏପରି କରିବାର ନଥିଲା। ଏପରି ପ୍ରତିକ୍ରିୟାଶୀଳ ହୋଇ ଆପଣ ଲାଲ୍ କିଲ୍ଲାରେ ପତାକା ତ ଲଗାଇ ଦେଇନାହାନ୍ତି ।
ସାମି କହିଛନ୍ତି, “ସେ (ରାହୁଲ) ଜଣେ ଅଧିନାୟକ, ଜଣେ ସାଧାରଣ ଖେଳାଳି ନୁହଁନ୍ତି।” ଏହା ଏକ ଦଳଗତ ଖେଳ | ଯଦି ରଣନୀତି ସଫଳ ନ ହୁଏ, ତେବେ ଏହା ବଡ଼ କଥା ନୁହେଁ | ଖେଳରେ କିଛି ବି ହୋଇପାରେ | ଭଲ ଏବଂ ଖରାପ ଦିନ ଅଛି । ପ୍ରତ୍ୟେକ ଖେଳାଳିଙ୍କ ସମ୍ମାନ ଅଛି । କଥାବାର୍ତ୍ତା କରିବାର ଏହା ଢ଼ଙ୍ଗ ନୁହେଁ। ”
ଖେଳରେ ଅନେକ ଥର ଟେନସନ୍ ମୁହୂର୍ତ୍ତ ଥାଏ ଏବଂ ଖେଳାଳିମାନେ ମଧ୍ୟ ପରସ୍ପର ସହ ଲଢ଼ନ୍ତି । କେବଳ କ୍ରିକେଟ୍ ନୁହେଁ, ପ୍ରତ୍ୟେକ ଖେଳରେ ଏଭଳି ଘଟେ। ଜଣେ ଖେଳାଳି ଅନ୍ୟ ଖେଳାଳି ସହିତ କଥା ହେବା ଗୋଟେ କଥା, କିନ୍ତୁ ବାହାରୁ ଜଣେ ବ୍ୟକ୍ତି ଏଭଳି ଭାବେ ଖେଳାଳିଙ୍କ ସହିତ କଥାବାର୍ତ୍ତା କରିବା ଭିନ୍ନ କଥା । ଖେଳରେ ଏଭଳି ପ୍ରତିକ୍ରିୟାର କୌଣସି ସ୍ଥାନ ନାହିଁ ବୋଲି ସାମି କହିଛନ୍ତିି ।