ଭୁବନେଶ୍ୱର : ଲଘୁଚାପ ନେଇ ୧୩ ଜିଲାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଚିଠି ଲେଖିଛନ୍ତି । ଲଘୁଚାପ ବର୍ଷାରେ ଉତ୍ତର ଓଡିଶାରେ ଉପୁଜିପାରେ ବନ୍ୟା ସ୍ଥିତି । ଉତ୍ତର ଓଡିଶା ସହ ୧୩ ଜିଲାକୁ ସଜାଗ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଜିଲାସ୍ତରରେ ପ୍ରସ୍ତୁତ ରହିବା ସହ ସ୍ଥିତି ନେଇ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୩ ଜିଲା ମଧ୍ୟରେ ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ସତର୍କ କରିଛନ୍ତି।
ସୂଚନା ଯେ, ବଙ୍ଗୋପସାଗରରେ ସୃଷ୍ଟି ହେଲା ପୁଣି ଏକ ଲଘୁଚାପ କ୍ଷେତ୍ର। ଉତ୍ତର ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ବାଂଲାଦେଶ ଉପକୂଳରେ କେନ୍ଦ୍ରିଭୂତ ହୋଇଥିବା ବେଳେ କ୍ରମଶଃ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ମୁହାଁ ହେବ । ଏହାର ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୫ ଦିନ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।