ପୁରୀ : ଆଜି ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ରାଜରାଜେଶ୍ବର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ଆସିବା ସହ ଭକ୍ତ ଓ ସେବାୟତଙ୍କ ସହ ମିଶି ଫଗୁ ଖେଳିବେ । ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ପରମ୍ପରା ରହିଛି । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୁଦେବୀ ଭୋଇ ପାଇ ଦୋଳବେଦୀକୁ ବିଜେ କରିବା ସମୟରେ ଏପରି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ । ପାଲିଙ୍କିରେ ଝୁଲିଝୁଲି ୨୧ ଘେରା କରିକ୍ରମା କରି ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି ମହାପ୍ରଭୁ ଦୋଳଗୋବିନ୍ଦ ।
ତେବେ ପରମ୍ପରା ଅନୁସାରେ ଆଜି ଶ୍ରୀଜିଉ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ମହାଜନେ ଦୋଳିରେ ଦୋଳଠାକୁରଙ୍କୁ ବିଜେ କରିବା ପରେ ସର୍ବସାଧାରଣ ଦର୍ଶନ ହେବ । ନୀତି ସରିବା ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡିବେ । ପରେ ସୁନାବେଶ କରାଯାଇ ମହାସ୍ନାନ ବଢିବ। ରାତି ସାଢେ ୧୦ଟା ପର୍ଯ୍ୟନ୍ତ ଠାକୁର ରାଜାଧିରାଜ ବେଶରେ ରହିବେ। ସୁନାବେଶରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ଧ୍ୟାନ ଦେଇଛି ପ୍ରଶାସନ ।