କେନ୍ଦୁଝର, ଓଡ଼ିଶା ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼୍ ଅଧ୍ୟାପକ ସଂଘ(ଓସ୍ଲା) ର ଆହ୍ୱାନ କ୍ରମେ ଆଜି କେନ୍ଦୁଝର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଅବସ୍ଥାପିତ ଏସ୍ଏସ୍ବି ଅଧ୍ୟାପିକା ଓ ଅଧ୍ୟାପକ ମାନେ ନିଜ ପ୍ରାରମ୍ଭିକ ଗ୍ରେଡ଼୍ ପେ କୁ ୪୬୦୦/- ରୁ ୫୪୦୦/- କୁ ବୃଦ୍ଧି ଦାବି ନେଇ ଅଭିନବ ଉପାୟରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ସମ୍ମୁଖରେ କଳାବ୍ୟାଜ୍ ପରିଧାନ ପୂର୍ବକ ନୀରବ ପ୍ରାର୍ଥନା କରି ବିରୋଧ ପ୍ରଦର୍ଶନ କରିଛନ୍ତି । ସଂଘ ତରଫରୁ କୁହାଯାଇଛି ଯେ ସେମାନେ ପ୍ରଥମ ପର୍ଯ୍ୟାୟରେ ତାଙ୍କ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ ସ୍ୱରୂପ ଗୁରୁଦିବସଠାରୁ କଳାବ୍ୟାଜ୍ ପରିଧାନ କରି ସ୍ୱାଭାବିକ କାର୍ଯ୍ୟ ଜାରି ରଖିବା ସହ ସରକାରଙ୍କୁ ଦାବି ପୂରଣ ପାଇଁ ଅନୁରୋଧ କରି ଆସୁଥିଲେ । ଦାବି ନ୍ୟାୟସଙ୍ଗତ ହୋଇଥିଲେ ମଧ୍ୟ ସରକାର ଏମାନଙ୍କର ଦାବିପୂରଣ ପାଇଁ ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ଆଣିଛି ସଂଘ । ଛାତ୍ରଛାତ୍ରୀଙ୍କ ପ୍ରତି ଥିବା କର୍ତ୍ତବ୍ୟ ଓ ନୈତିକତା ଦୃଷ୍ଟିରୁ କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରିବାକୁ ଉଚିତ୍ ମନେକରୁ ନଥିବା କହିଛି ସଂଘ। ତେଣୁ ଆଜି ସତ୍ୟ ତଥା ନ୍ୟାୟର ପ୍ରତୀକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନିକଟରେ କଳାବ୍ୟାଜ୍ ପିନ୍ଧି ପ୍ରତୀକାତ୍ମକ ତଥା ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିବା ସହ ସରକାରଙ୍କୁ ଦାବି ଦିଗରେ ଧ୍ୟାନଦେବା ପାଇଁ ପୁଣିଥରେ ଅନୁରୋଧ କରିଛି ସଂଘ। ଏଠାରେ ପ୍ରକାଶଯୋଗ୍ୟ ଯେ ଓଡ଼ିଶା ସରକାରଙ୍କ ଦ୍ୱାରା ୨୦୧୬ ରୁ ୨୦୨୨ ମଧ୍ୟରେ ଅନୁଦାନପ୍ରାପ୍ତ କଲେଜ୍ ଗୁଡିକରେ ଶିକ୍ଷାବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରାୟ ୩୦୦୦ ଅଧ୍ୟାପିକା ଅଧ୍ୟାପକଙ୍କୁ ଏକ ସ୍ୱଚ୍ଛ ଓ ଯୋଗ୍ୟତା ଭିତ୍ତିକ ସରକାରୀ ପଦ୍ଧତିରେ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼୍ (ଏସ ଏସ ବି) ଦ୍ୱାରା ନିଯୁକ୍ତ କରାଯାଇଛି । ଏହି ଅଧ୍ୟାପିକା ଅଧ୍ୟାପକ ମାନେ ସ୍ଵତନ୍ତ୍ର ଭାବରେ କେବଳ ସ୍ନାତକ ଶ୍ରେଣୀ ପାଇଁ ନିଯୁକ୍ତ ହୋଇଥିବା ବେଳେ ସରକାରଙ୍କ ତରଫରୁ ସେମାନଙ୍କୁ ସେହି ଅନୁସାରେ ସୁବିଧା ସୁଯୋଗ ପ୍ରଦାନ କରାଯାଉନଥିବା ଅଭିଯୋଗ ଆଣିଛି ସଂଘ । ଏହା ଛଡ଼ା କେବଳ ଯୁକ୍ତ ୨ ପିଲାଙ୍କୁ ପଢାଇବା ପାଇଁ ନିଯୁକ୍ତି ପାଇବାକୁ ଯାଉଥିବା ପିଜିଟି ଶିକ୍ଷକଙ୍କ ଗ୍ରେଡ୍ ପେ ୪୬୦୦/ ଟଙ୍କା ଥିବବେଳେ ଡିଗ୍ରୀ ଶ୍ରେଣୀର ପିଲାଙ୍କୁ ପଢାଇବା ପାଇଁ ଉଦ୍ଦିଷ୍ଟ ଏହି ବର୍ଗର (ଏସ୍ ଏସ୍ ବି) ଅଧ୍ୟାପକ ଅଧ୍ୟାପିକାଙ୍କୁ ସମାନ ୪୬୦୦/ ଗ୍ରେଡ଼ ପେ ଦବା ଦୁର୍ଭାଗ୍ୟ ଜନକ ବୋଲି କହିଛି ସଂଘ । ଏନେଇ ଓଡ଼ିଶା ଏସଏସବି ଅଧ୍ୟାପକ/ଅଧ୍ୟାପିକା ସଂଘର ସଭାପତି ଶ୍ରୀ ସରୋଜକାନ୍ତ ନାୟକ କହିଛନ୍ତି ଯେ ଆମେ ସରକାରୀ ଅଧ୍ୟାପକଙ୍କ ଭଳି ସମାନ କାର୍ଯ୍ୟ କରୁଥିଲେ ମଧ୍ୟ ଆମକୁ ସମାନ ସମ୍ମାନ ଓ ସୁବିଧା ସୁଯୋଗ ପ୍ରଦାନ କରାଯାଉନାହିଁ ଏବଂ ସେମାନଙ୍କଠାରୁ ଯଥେଷ୍ଟ ତଳ ସ୍ତରରେ ୪୬୦୦/- ଗ୍ରେଡ଼ ପେ ରେ ରଖାଯାଇଛି । ଏହି ଅସଙ୍ଗତି ନେଇ ଆମେ ଦୀର୍ଘ ୮ ବର୍ଷ ଧରି ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରି କରି ନୟାନ୍ତ ହେଲାପରେ ଗତ ଗୁରୁଦିବସଠାରୁ କଳାବ୍ୟାଜ୍ ପରିଧାନ ପୂର୍ବକ ସ୍ୱାଭାବିକ କାର୍ଯ୍ୟ ଜାରି ରଖିବା ସହ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିଆସୁଥିଲେ ଏବଂ ଦାବି ପୂରଣ ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ସରକାର ଏମାନଙ୍କ ର ଦାବି ପୂରଣ ଦିଗରେ କୌଣସି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିନଥିବା ସଂଘ ଅଭିଯୋଗ କରିଛି। ମାନ୍ୟବର ମୂଖ୍ୟମନ୍ତ୍ରୀ ଉଚ୍ଚଶିକ୍ଷା କ୍ଷେତ୍ର ରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଉନ୍ନତି ଆଣିବାକୁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ସ୍ୱୟଂ ତାଙ୍କ ଦ୍ଵାରା ଶିକ୍ଷାର ଉନ୍ନତି ପାଇଁ ନିଯୁକ୍ତ (ଏସ୍ ଏସ୍ ବି) ଶିକ୍ଷାଦାତା ମାନଙ୍କୁ ଅଣଦେଖା କରିବା ଏକ କ୍ଷୋଭ ଓ ପରିତାପର ବିଷୟ ବୋଲି ଅଭିଯୋଗ କରିଛନ୍ତି । ସରକାର ଏସ୍ ଏସ୍ ବି ଅଧ୍ୟାପକ ମାନଙ୍କ ୫୪୦୦/- ଗ୍ରେଡ଼ ପେ ପାଇଁ ଥିବା ଦାବିକୁ ଯଥାଶୀଘ୍ର ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଏହି ବର୍ଗର ଅଧ୍ୟାପକ ମାନେ ।
September 12, 2023
0 Comment
206 Views
ଏସ ଏସ ବି ଅଧ୍ୟାପକଙ୍କ ଶାନ୍ତି ପୂର୍ଣ୍ଣ ପ୍ରତିବାଦ
କେନ୍ଦୁଝର, ଓଡ଼ିଶା ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ଼୍ ଅଧ୍ୟାପକ ସଂଘ(ଓସ୍ଲା) ର ଆହ୍ୱାନ କ୍ରମେ ଆଜି କେନ୍ଦୁଝର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଅବସ୍ଥାପିତ ଏସ୍ଏସ୍ବି ଅଧ୍ୟାପିକା ଓ ଅଧ୍ୟାପକ ମାନେ ନିଜ ପ୍ରାରମ୍ଭିକ ଗ୍ରେଡ଼୍ ପେ କୁ ୪୬୦୦/- ରୁ ୫୪୦୦/- କୁ ବୃଦ୍ଧି ଦାବି ନେଇ ଅଭିନବ ଉପାୟରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ସମ୍ମୁଖରେ କଳାବ୍ୟାଜ୍ ପରିଧାନ ପୂର୍ବକ ନୀରବ ପ୍ରାର୍ଥନା କରି ବିରୋଧ ପ୍ରଦର୍ଶନ କରିଛନ୍ତି । ସଂଘ ତରଫରୁ କୁହାଯାଇଛି ଯେ ସେମାନେ ପ୍ରଥମ... Read More