ଭୁବନେଶ୍ୱର : ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସର କର୍ମକର୍ତାମାନେ ୫ଟି ସଚିବ ଭି. କାର୍ତିକେୟନ ପାଣ୍ଡିଆନଙ୍କ ବାସଭବନ ସମ୍ମୁଖରେ ଆମରଣ ଅନଶନ କରିବେ । ଶୁକ୍ରବାର ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଶ୍ରୀ ନୱାଜ କହିଛନ୍ତି ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ସଂପୃକ୍ତ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଉପରେ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରି ନାହିଁ । ମାତ୍ର ଗଣଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ବହିଷ୍କାର ଏବଂ ଗିରଫ ଦାବୀରେ ନବୀନ ନିବାସ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତୀ ବେହେରାଙ୍କ ବାସଭବନ ଘେରାଉ କରିଥିବା ଛାତ୍ରକଂଗ୍ରେସ ନେତୃମଣ୍ଡଳୀଙ୍କ ଉପରେ ୩୦୭ ଭଳି ସଂଗୀନ ଦଫା ଲଗାଯାଇଛି । ଛାତ୍ର କଂଗ୍ରେସ ଗଣତାନ୍ତ୍ରିକ ପ୍ରକିୟାରେ ଏହି ଆନ୍ଦୋଳନ କରିଥିଲା । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରଙ୍କର ଦୋଷ, ତ୍ରୁଟି, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ୱରଉତୋଳନ କରିବାର ଅଧିକାର ବିରୋଧି ଦଳର ରହିଛି । ଏହି ଅଧିକାରକୁ ନବୀନ ସରକାର ବା ପୋଲିସ ଛଡ଼େଇ ନେବାପାଇଁ ଉଦ୍ୟମ ଜାରି ରଖିଛନ୍ତି ।
୫ଟି ସଚିବ ଭିକେ ପାଣ୍ଡିଆନ ପ୍ରଶାସନର ସ୍ୱଚ୍ଛତା ଓ ନିରପେକ୍ଷତା ଦାୟୀତ୍ୱ ନେଇଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସ ସମସ୍ତ ନେତାଙ୍କ ନାମରେ ରୁଜୁ ହୋଇଥିବା ୩୦୭ ଦଫା (ହତ୍ୟା ଉଦ୍ୟମ) ପ୍ରତ୍ୟାହାର, ମନ୍ତ୍ରୀ ସମୀର ଦାସଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଏବଂ ଏହି ମାମାଲାରେ ତଦନ୍ତ ପରିଷର ଭୁକ୍ତ କରାନଗଲେ ୫ଟି ସଚିବଙ୍କ ବାସଭବନ ଆଗରେ ଛାତ୍ର କଂଗ୍ରେସ ଆମରଣ ଅନଶନ ଜାରି ରଖିବ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖ୍ୟ ମୁଖପାତ ବିଶ୍ୱଭୂଷଣ ମହାପାତ୍ର, ବିଭୁତି ଭୂଷଣ ମହାପାତ୍ର, ଭାଗ୍ୟଶ୍ରୀ ମହାନ୍ତି ଓ ସ୍ନେହା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।