କଟକ : ଅଗ୍ନିଶମ ବିଭାଗର ୫୪ତମ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡ଼ିଆ ଆଇପିଏସ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ । ୧୯୯୦ ମସିହା ବ୍ୟାଚର ଏହି ଆଇପିଏସ ଅଧିକାରୀଙ୍କୁ କିଛି ଦିନ ତଳେ ଡିଜି ପଦକୁ ପଦୋନ୍ନତି ଦେଇଥିଲେ ରାଜ୍ୟ ସରକାର । ଗତ ସପ୍ତାହରେ ତାଙ୍କୁ ଅଗ୍ନିଶମ ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ଦେଇଥିଲେ । ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ପୂର୍ବର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ପୋଲିସ କମିଶନର ଭାବେ ଦକ୍ଷତାର ସହ କାର୍ଯ୍ୟ କରିସାରିଛନ୍ତି ।
ସୋମବାର ସକାଳ ପ୍ରାୟ ୮ଟା ବେଳେ କଟକ ସ୍ଥିତ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟକୁ ଆସି କାର୍ଯ୍ୟକାରୀ ନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ଓଡିଶା ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତା ଦେଶରେ ସୁନାମ ଅର୍ଜନ କରିଛି । ଆଗାମୀ ଦିନରେ ଏହାକୁ ବଜାୟ ରଖାଯିବ ବୋଲି କହିବା ସହ ବିଭାଗର ଆଗାମୀ କାର୍ଯ୍ୟପନ୍ଥା ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।