ନୂଆଦିଲ୍ଲୀ: କରୋନା ଟିକା କୋଭିସିଲ୍ଡର ପାର୍ଶ୍ୱ ପ୍ରତିକ୍ରିୟା ନେଇ ଆଗତ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଶୁଣାଣି ପାଇଁ ତାରିଖ ସ୍ଥିର କରାଯାଇ ନାହିଁ, କିନ୍ତୁ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଜରୁରୀ ଶୁଣାଣି ପାଇଁ ଅନୁରୋଧକୁ ଅଗ୍ରାହ୍ୟ କରିଦେଇଛନ୍ତି।
ବିଶାଲ ତିୱାରୀ ନାମକ ଜଣେ ଓକିଲ କୋଭିସିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ ପାଇଁ ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏମ୍ସ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ମେଡିକାଲ୍ ବିଶେଷଜ୍ଞ ପ୍ୟାନେଲ୍ ଗଠନ କରି ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ଵାବଧାନରେ ଏହାର ତଦନ୍ତ କରିବାକୁ ଆବେଦନରେ କୁହାଯାଇଛି। ଟିକା ନେବାପରେ ଯେଉଁ ଲୋକମାନେ ଅକ୍ଷମ କିମ୍ବା ମୃତ୍ୟୁବରଣ କରିଛନ୍ତି, ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଦାବି କରିଛନ୍ତିି ।
ଉଲ୍ଲେଖଯୋଗ୍ୟ, ‘କୋଭିସିଲ୍ଡ’ ଟିକା ପ୍ରସ୍ତୁତକାରୀ କମ୍ପାନୀ ଆଷ୍ଟ୍ରାଜେନେକା ବ୍ରିଟେନର ଏକ କୋର୍ଟରେ ସ୍ୱୀକାର କରିଛି ଯେ ଏହି କୋଭିଡ-୧୯ ଟିକା ନେଇଥିବା ଲୋକଙ୍କଠାରେ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇପାରେ। ଏହି ଟିକା ଦ୍ବାରା ଟିଟିଏସ୍ ଅର୍ଥାତ୍ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ହୋଇପାରେ । ଯାହା ଦ୍ବାରା ଶରୀରରେ ରକ୍ତ ଜମାଟ ବାନ୍ଧି ବ୍ରେନ୍ ଷ୍ଟ୍ରୋକ, ହୃଦଘାତ ଭଳି ଘାତକ ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ।
ଭାରତରେ କୋଭିଡ-୧୯ ଟିକାକରଣ ଅଭିଯାନରେ ‘କୋଭିସିଲ୍ଡ’ ନାମରେ ଆଷ୍ଟ୍ରୋଜେନେକା ଦ୍ବାରା ପ୍ରସ୍ତୁତ ଟିକାର ବହୁଳ ବ୍ୟବହାର ହୋଇଥିଲା । ଭାରତୀୟ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଷ୍ଟ୍ରାଜେନେକା ଠାରୁ ଲାଇସେନ୍ସ ଆଣି ଦେଶରେ ଏହି ଟିକା ଉତ୍ପାଦନ କରିଥିଲା । ଏହା କେବଳ ଭାରତର କୋଭିଡ୍ ଟିକାକରଣ ଅଭିଯାନରେ ବ୍ୟବହୃତ ହୋଇନଥିଲା, ବରଂ ବିଶ୍ବର ଅନେକ ଦେଶକୁ ମଧ୍ୟ ରପ୍ତାନି କରାଯାଇଥିଲା। କୋଭିସିଲ୍ଡ ବ୍ୟତୀତ ଏହି ଟିକା ଅନେକ ଦେଶରେ ‘ଭାକ୍ସଜେଭ୍ରିଆ’ ବ୍ରାଣ୍ଡ୍ ନାଁରେ ବିକ୍ରି ହୋଇଥିଲା ।