କଟକ : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି ନେଇ ଶୁଣାଣି କଲେ ହାଇକୋର୍ଟ । ମାମଲାର ସିବିଆଇ ତଦନ୍ତ କାହିଁକି ନହେବ । ସେନେଇ ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମାର୍ଚ୍ଚ ୫ ତାରିଖ ସୁଦ୍ଧା ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ ।
ଆବେଦନକାରୀ ପିଟିସନ୍ରେ ଉଲ୍ଲେଖ କରିଥିଲେ କି, ୨୦୦୮ ଅଗଷ୍ଟ ୧୫ରେ ଅର୍ଥାତ୍ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟାର ଅଳ୍ପ କିଛିଦିନ ପୂର୍ବରୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସିଆରପିଏଫ୍ ଯବାନଙ୍କୁ ପ୍ରତ୍ୟାହାର କରି ନିଆଯାଇଥିଲା । ସେହି ମାସ ୨୩ ତାରିଖ ସକାଳୁ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଓଡ଼ିଶା ପୁଲିସ୍ର ସମସ୍ତ କର୍ମଚାରୀ ସମୂହ ଛୁଟିରେ ଚାଲିଗଲେ । ସେହିଦିନ ସଂଧ୍ୟାରେ ଲକ୍ଷ୍ମଣାନନ୍ଦଙ୍କୁ ୧୫ଜଣ ଦୁବୃର୍ତ୍ତ ହତ୍ୟା କଲେ । ଏହାର ଠିକ୍ ପରଦିନ ପୁଲିସ୍ ଡିଜି ସାମ୍ବାଦିକ ସମ୍ମିଳନୀରେ ଲକ୍ଷ୍ମଣାନନ୍ଦଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି ବୋଲି ସୂଚନା ଦେଲେ ।
ଆବେଦନକାରୀ ତାଙ୍କ ପିଟିସନ୍ରେ ଲକ୍ଷ୍ମଣାନନ୍ଦଙ୍କୁ ଷଡ଼ଯନ୍ତ୍ର କରାଯାଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । କିନ୍ତୁ ଯେଉଁଭଳି ଏହି ଘଟଣାର ତଦନ୍ତ କରାଗଲା, ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିନାହିଁ । ଘଟଣାର ସିବିଆଇ ଦ୍ୱାରା ତଦନ୍ତ କରାଗଲେ ଅନେକ ରହସ୍ୟର ଉନ୍ମୋଚନ ହୋଇପାରିବ ବୋଲି ସେ କହିଛନ୍ତି ।