ନୂଆଦିଲ୍ଲୀ : ସ୍ୱଦେଶ ଫେରିଲା ଟିମ୍ ଇଣ୍ଡିଆ। ଦିଲ୍ଲୀ ବିମାନ ବନ୍ଦରରେ ଆଜି ସକାଳେ ପହଞ୍ଚିଛି ଭାରତୀୟ କ୍ରିକେଟ୍ ଦଳ। ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଓ ଷ୍ଟାଫଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବିଶ୍ୱକପ ବିଜୟ ପରେ ବାରବାଡୋସରେ ଫସି ରହିଥିଲା ଭାରତୀୟ ଦଳ । ସେଠାରୁ ଘୂର୍ଣ୍ଣିଝଡ ଯୋଗୁଁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ପାରି ନଥିଲା । କିନ୍ତୁ, ବିସିସିଆଇର ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଦିଲ୍ଲୀ ପହଞ୍ଚିଛି ରୋହିତସେନା ।
ଟିମ୍ ଇଣ୍ଡିଆ ସ୍ୱଦେଶ ଫେରିବା ପରେ ଆଜି ଦିନ ୧୧ ଟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ସନ୍ଧ୍ୟାରେ ମୁମ୍ବାଇରେ ଗ୍ରାଣ୍ଡ ସେଲିବ୍ରେସନର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଭିକ୍ଟ୍ରି ପ୍ୟାରେଡରେ ଆଜି ବିଶ୍ୱ ବିଜେତା ଦଳକୁ ଶୁଭକାମନା ଦେବେ ଫ୍ୟାନ୍ସ । ସେପଟେ ଟିମ୍ ଇଣ୍ଡିଆକୁ ସ୍ୱାଗତ କରିବା ପାଇଁ ଦିଲ୍ଲୀ ଏୟାରପୋର୍ଟ ବାହାରେ ଫ୍ୟାନ୍ସଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବିଶ୍ୱ ବିଜେତା ଟିମ୍ର ଝଲକ ପାଇବା ପାଇଁ ଫ୍ୟାନ୍ସ ଭୋରରୁ ଅପେକ୍ଷା କରିଥିଲେ । ପ୍ରକାଶଥାଉ ଯେ, ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ବିଶ୍ୱ ବିଜୟୀ ଭାରତୀୟ ଦଳ ଆଜି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲା ।
ପ୍ରକାଶ ଥାଉକି ଜୁନ୍ ୨୯ରେ ବାର୍ବାଡସରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଖେଳା ଯାଇଥିଲା। କିନ୍ତୁ ସେଠାରେ ଏକ ଘୂର୍ଣ୍ଣିଝଡ଼ ବେରିଲ୍ ସୃଷ୍ଟି ହେବା କାରଣରୁ ପାଣିପାଗକୁ ଦୃଷ୍ଟିରେ ରଖି ବିମାନ ଉଡ଼ାଣ କରିପାରି ନଥିଲା। ଜୁଲାଇ ୧ରେ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ବିସିସିଆଇ ବାର୍ବାଡସକୁ ସ୍ୱତନ୍ତ୍ର ବିମାନ ପଠାଇଥିଲା। କିନ୍ତୁ ଏହାପରେ ମଧ୍ୟ ପାଗରେ ପରିବର୍ତ୍ତନ ନ ଆସିବାରୁ ବିମାନ ଉଡ଼ାଣ ବିଳମ୍ବ ହୋଇଥିଲେ। ଶେଷରେ ଭାରତ ଫେରୁଛନ୍ତି ବିଜୟୀ ଟିମ୍। ଦୀର୍ଘ ୧୭ ବର୍ଷ ପରେ ବିଶ୍ୱକପ୍ ଜିତି ଥିବା ଟିମ୍ ଇଣ୍ଡିଆକୁ ସ୍ୱାଗତ କରିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ।