ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଅଧିନରେ ୧୪ତମ କିସ୍ତି ଅପେକ୍ଷାରେ ଥିବା ଲାଭାର୍ଥୀଙ୍କ ପାଇଁ ଖୁସି ଖବର । ବିଭିନ୍ନ ମିଡିଆ ରିପୋର୍ଟ ଅନୁସାରେ, ଚଳିତ ମାସ ୧୫ ତାରିଖ ସୁଦ୍ଧା ଚାଷୀଙ୍କ ଖାତାକୁ ୨୦୦୦ ଟଙ୍କା ଲେଖାଏ ଆସିବ । ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ । ଏହି ଯୋଜନା ଅଧିନରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ସରକାରଙ୍କ ତରଫରୁ ଦିଆଯାଇଥାଏ । ଏହି ରାଶି ବର୍ଷକୁ ୨ ହଜାର ଟଙ୍କା ଲେଖାଏ ରୂପେ ତିନି ଥର ଦିଆଯାଉଛି । ସରକାର ଏହି ରାଶିକୁ ସିଧା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରନ୍ତି ।
ସୂଚନା ଯେ, ପିଏମ୍ କିଷାନ ସମ୍ମାନ ନିଧିର ୧୩ତମ କିସ୍ତି ଫେବ୍ରୁଆରୀ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଜାରି କରାଯାଇଥିଲା । ଏହା ଅଧିନରେ ୮ କୋଟିରୁ ଅଧିକ ଲାଭାର୍ଥୀଙ୍କୁ ୧୬,୮୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଅନ୍ୟପଟେ ଏହି ଯୋଜନା ଅଧିନରେ ୧୧ତମ ଏବଂ ୧୨ତମ କିସ୍ତି ଗତ ବର୍ଷ ମଇ ଏବଂ ଅକ୍ଟୋବରରେ ପ୍ରଦାନ କରାଯାଇଥିଲା ।