ଅଯୋଧ୍ୟା : ଉତ୍ତରପ୍ରଦେଶ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାମ ମନ୍ଦିରରେ ଜାନୁୟାରୀ ୨୨ ତାରିଖ ଦିନ ଶ୍ରୀରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏଥିରେ ଏବେ ମନ୍ଦିରରେ ସୁନାର ଦ୍ୱାର ଲାଗିବା ଆରମ୍ଭ ହୋଇଯାଇଛି। ପ୍ରଥମ ଦ୍ୱାରର ଛବି ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଛବିରେ ୧୧ ନମ୍ବର ଦ୍ୱାରରେ ସୁନା ଚଦର ଚଢା ଦ୍ୱାର ଲାଗିଛି। ସୂଚନା ଅନୁସାରେ ମନ୍ଦିରରେ ଏହିପରି ଆଉ ୧୩ଟି ଦ୍ୱାର ଲାଗିବ।
ତେବେ ଦ୍ୱାର ଲାଗିବା ପୂର୍ବରୁ ମନ୍ଦିରରେ ମୂର୍ତ୍ତି ସ୍ଥାପନା କାର୍ଯ୍ୟ ଚାଲିଛି। ସୋମବାର ଜଟାୟୁଙ୍କ ମୂର୍ତ୍ତି ଅଯୋଧ୍ୟାରେ ପହଞ୍ଚିଥିଲା। ଏହି ମୂର୍ତ୍ତିକୁ ରାମ ମନ୍ଦିର ପରିସରରେ ସ୍ଥାପନା କରାଯିବ। ଜଟାୟୁଙ୍କ ଏହି ମୂର୍ତ୍ତି ୨୦ ଫୁଟ ଚୌଡା ଓ ୮ ଫୁଟ ଉଚ୍ଚ। ଏହାକୁ ତିଆରି କରିବାକୁ ୩ ମାସ ସମୟ ଲାଗିଛି। ଏଥିରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ରାମ ମନ୍ଦିର ଗର୍ଭ ଗୃହରେ ସ୍ଥାପିତ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିର ରୂପ ବର୍ଣ୍ଣନା କରିଛନ୍ତି।