ଭଦ୍ରକ : ବାଲେଶ୍ଵର ଜିଲା ବାହାନଗା ନିକଟରେ ଗତ ଶୁକ୍ରବାର ବଡ଼ ଟ୍ରେନ୍ ଦୁର୍ଘଟଣା। ବାହାନଗାରେ ତିନୋଟି ଭିନ୍ନ ଟ୍ରାକରେ ବେଙ୍ଗାଲୁରୁ-ହାୱ୍ଵଡା ସୁପରଫାଷ୍ଟ ଏକ୍ସପ୍ରେସ, କରମଣ୍ଡଳ ଏକ୍ସପ୍ରେସ ଏବଂ ମାଲଗାଡି ଟ୍ରେନ ମୁହାଁମୁହିଁ ଧକ୍କା ହୋଇଥିଲା। ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୨୮୮ରୁ ଅଧିକ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ଅନେକ ଟ୍ରେନ୍ ବାତିଲ୍ ହୋଇ କିଛି ରୁଟ୍ ପରିବର୍ତ୍ତନ କରାଯାଇଥିଲା । ରେଳୱେ ଜଣେ ଅଧିକାରୀ କହିଛନ୍ତି ଯେ ହାୱଡା ଯାଉଥିବା ୧୨୮୬୪ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସର ଅନେକ କୋଚ୍ ବାହାନଗା ପଟରୀରେ ଖସିପଡିଥିଲା।
ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି । ସେହିପରି ଆହତଙ୍କୁ ଭେଟିବା ପରେ ରାଜ୍ୟପାଳ ଗଣେଷୀ ଲାଲ୍ କହିଛନ୍ତି ଯେ, ଆମ ପାଇଁ ପ୍ରତ୍ୟେକଙ୍କ ଜୀବନ ମୂଲ୍ୟବାନ । କୌଣସି ରାଜ୍ୟର ବି ସେ ହୁଅନ୍ତୁ । ଆମ ଫୋକସ ହେଉଛି ସମସ୍ତଙ୍କ ଜୀବନ ବଞ୍ଚାଇବା । ପ୍ରଧାନମନ୍ତ୍ରୀ ବାଲେଶ୍ୱର ବାହାନଗା ଆସୁଛନ୍ତି । ପ୍ରଥମେ ବାହାନଗା ଯାଇଁ ଘଟଣାସ୍ଥଳ ପରିଦର୍ଶନ କରିବେ, ଏହାପରେ କଟକ ଏସ୍ସିବି ଯିବାର କାର୍ଯ୍ୟକ୍ରମ ରହିଛି । ଏସ୍ସିବିରେ ଆହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ଶୁକ୍ରବାର ଠାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।