ଝାରସୁଗୁଡା : ନବଦାସ ହତ୍ୟାକଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ନାଁ ରେ ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଶୁଣାଣି କରାଯିବ।ଭିଡିଓ କନଫେରେନସିଂ ମାଧ୍ୟମରେ ଅଭିଯୁକ୍ତ ଗୋପାଳ ଦାସକୁ ହାଜର କରାଯିବ । ବର୍ତ୍ତମାନ ଗୋପାଳ ଚୌଦ୍ୱାର ଜେଲରେ ରହିଛି ।
ଏହା ପୂର୍ବରୁ ଦୁଇଥର ଗୋପାଳକୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରାଯାଇଥିଲା । କିନ୍ତୁ ଗତ ୯ ତାରିଖରେ ଅଭିଯୁକ୍ତ ଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ଓକିଲ ମହେଶ ଜେନା ନିଯୁକ୍ତ ହେବା ପରେ ତାଙ୍କ ପକ୍ଷରୁ ଡିସଚାର୍ଜ ପିଟିସନ ଦାଖଲ କରାଯାଇଥିଲା । ଏହି ପିଟିସନର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିବାକୁ କୋର୍ଟରେ ଆବେଦନ କରିଥିଲେ । ପୂର୍ବରୁ ଅଭିଯୁକ୍ତ ଗୋପାଳ ଦାସ ଓକିଲ ନ ଦେଉଥିବାରୁ ଷ୍ଟେଟ ଡିଫେନ୍ସ କାଉନସିଲରୁ ଓକିଲ ନରେଶ ନାୟକ ମାମଲା ପରିଚାଳନା କରୁଥିଲେ l ଡିଷ୍ଟ୍ରିକ୍ଟ ସେସନ ଜଜଙ୍କ ନିର୍ଦେଶରେ ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଗୋପାଳ ପକ୍ଷରୁ କରାଯାଇଥିବା ଡିସଚାର୍ଜ ପିଟିସନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା ।