ନୂଆଦିଲ୍ଲୀ : ସ୍ଥଗିତ ରହିଲା ଇଣ୍ଡିଆ ମେଣ୍ଟ ବୈଠକ। ଡିସେମ୍ବର ୬ ତାରିଖରେ ଇଣ୍ଡିଆ ମେଣ୍ଟର ବୈଠକ ଡାକିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ। ହେଲେ ଜଣକ ପରେ ଜଣେ ମେଣ୍ଟର ବହୁ ନେତା ଏହି ବୈଠକରେ ଯୋଗ ଦେଇ ପାରିବେ ନାହିଁ ବୋଲି ଜଣାଇଥିଲେ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ମମତା ବାନାର୍ଜୀ ବୈଠକରେ ଯୋଗ ଦେବେ ନାହିଁ କହିବା ପରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ମଧ୍ୟ ଅସୁସ୍ଥତା ଯୋଗୁଁ ବୈଠକରେ ଯୋଗ ଦେବେ ନାହିଁ ବୋଲି ଜଣାଇଥିଲେ। ସେହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ଜେଏମଏମ ନେତା ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ଜଣାଇଥିଲେ।
ସେପଟେ ଡିଏମକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ରାଜ୍ୟରେ ବାତ୍ୟା ପରିସ୍ଥିତି ପାଇଁ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ଜଣାଇଥିଲେ। ମେଣ୍ଟର ବରିଷ୍ଠ ନେତାମାନେ ବୈଠକରେ ଅନୁପସ୍ଥିତ ରହିବେ ବୋଲି ଜଣାଇବା ପରେ ବୈଠକକୁ ସ୍ଥଗିତ କରାଯାଇଛି। ଏହି ବୈଠକ ଡିସେମ୍ବର ତୃତୀୟ ସପ୍ତାହରେ ହେବ ବୋଲି ସୂଚନା ମିଳିଛି।