ନୂଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌଦପୀ ମୁର୍ମୁ । ସମସ୍ତ ନିର୍ବାଚିତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବାରୁ ଓମ୍ ବିର୍ଲାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି । ମୋ ସରକାର ଉପରେ ଲୋକମାନେ ତୃତୀୟ ଥର ଭରସା କରିଛନ୍ତି । ସେମାନେ ଜାଣିଛନ୍ତି ସେମାନଙ୍କ ଆକାଂକ୍ଷା ମୋ ସରକାର ପୂରଣ କରିପାରିବ । ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ଚାରି ଦଶକରୁ ଏଠାରେ ଭୋଟିଂ ହାର କମ ରହୁଥିଲା । ଦେଶର ସ୍ଥିର ଓ ବହୁମତ ସରକାର ଗଠନ ହୋଇଛି । ୧୦ବର୍ଷର ସୁଶାସନ ଉପରେ ଲୋକଙ୍କ ମୋହର ଲାଗିଥିବା ରାଷ୍ଟ୍ରପତି କହିଛନ୍ତି ।
ସରକାରଙ୍କ ବିଭିନ୍ନ ଯୋଜନାର ଗୁଣଗାନ କରିବା ସହ ପେପର ଲିକ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଅଭିଭାଷଣ ରଖିଛନ୍ତି । ରାଷ୍ଟ୍ରପତି କହିଛନ୍ତି ମୋ ସରକାର ପେପର ଲିକ୍ ରୋକିବାକୁ କଡା ଆକ୍ସନ ଆଣିଛନ୍ତି । ପେପର ଲିକର ନିରପେକ୍ଷ ଯାଞ୍ଚ ପାଇଁ ସରକାର ପ୍ରତିଶୃତିବଦ୍ଧ । ବିଭିନ୍ନ ରାଜ୍ୟରେ ବି ପେପର ଲିକ୍ ଖବର ସାମ୍ନାକୁ ଆସିଛି । ପେପର ଲିକ୍ ଘଟଣାର ନିରପେକ୍ଷ ଯାଞ୍ଚ ହେବ । ପରୀକ୍ଷାରେ ପାରଦର୍ଶିତା, ନିରପେକ୍ଷତା ରହିବା ନିହାରି ଜରୁରୀ । ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍ରେ ରହି ପଦକ୍ଷେପ ନେବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି । ପରୀକ୍ଷା ପରିଚାଳନାରେ ଜଡିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି ।
ସେହିପରି ଜନ କଲ୍ୟାଣର ନୂଆ ଅଧ୍ୟାୟ ଲେଖିବ ସରକାର। ସଂସ୍କାରକୁ ଅଧିକ ଗତି ଦେବା ଉପରେ କାମ ହେବ। ନିବେଶକଙ୍କୁ ଅଧିକ ଆକୃଷ୍ଟ କରିବାକୁ କାମ ହେବ। ରିଫର୍ମ, ପରଫର୍ମ ଏବଂ ଟ୍ରାନ୍ସଫର୍ମ ଉପରେ କାମ ଚାଲିଛି। ପ୍ରାକୃତିକ ଦୁର୍ବିପାକ ଦେଶର ବିକାଶକୁ ରୋକିପାରିବ ନାହିଁ। ସେହିପରି ସରକାର ମହିଳା ସଶକ୍ତୀକରଣ ଦିଗରେ ଭଲ କାମ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ।