ଭୁବନେଶ୍ୱର : ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ବିଭିନ୍ନ ବିଭାଗର ବଜେଟ୍ ଅନୁଦାନ ଦାବି ଉପରେ ଗୃହରେ ଆଲୋଚନା ଓ ପାରିତ ହେବ ।
ବିଧାନସଭା ସଚିବାଳୟ ପକ୍ଷରୁ ଆଜି ଜାରି କାର୍ଯ୍ୟସୂଚୀ ଅନୁସାରେ, ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୂର୍ବତନ ବିଧାୟକ ସୁନ୍ଦରମୋହନ ମାଝୀଙ୍କ ସମ୍ମାନରେ ଶୋକପ୍ରସ୍ତାବ ଆସିବ । ତା’ପରେ ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହେବ । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବିଭିନ୍ନ ପେପର ଓ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିବେ । ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୃହ ପରିଚାଳନା ପାଇଁ କାର୍ଯ୍ୟପରାମର୍ଶଦାତା କମିଟିର ରିପୋର୍ଟକୁ ଉପସ୍ଥାପନ କରିବେ । ଏହାପରେ ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ବାବୁ ସିଂ, ପୂର୍ଣ୍ଣଚନ୍ଦ୍ର ସେଠୀ, ବିଭୂତିଭୂଷଣ ପ୍ରଧାନ, ରାମଚନ୍ଦ୍ର କାଡ଼ାମ, ସୁଧୀର ରଞ୍ଜନ ପାଟ୍ଟଯୋଶୀ, ମନୋହର ରନ୍ଧାରୀ, ସନାତନ ବିଜୁଳି ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୋଟ ୩୯ଟି ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି ।