ନୂଆଦିଲ୍ଲୀ : ବାରାଣାସୀର ଜ୍ଞାନବ୍ୟାପୀ ମସଜିଦରେ ଥିବା ପୋଖରୀକୁ ସଫା କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ । ଏଠାରେ ଶିବଲିଙ୍ଗ ଥିବା ନେଇ କୋର୍ଟରେ ମକଦ୍ଦମା ହେବା ପରେ ଏହି ସ୍ଥାନକୁ ସିଲ୍ କରିବାକୁ ନିର୍ଦେଶ ଦେଇଥିଲେ କୋର୍ଟ । ଶିବ ଲିଙ୍ଗ ଭଳି ବସ୍ତୁ ମିଳିବା ପରେ ୨୦୨୨ରେ ଏହି ସ୍ଥାନକୁ ସିଲ୍ କରାଯାଇଥିଲା । ତେବେ ଏଠାରେ ଥିବା ପୋଖରୀରେ ମାଛ ମରି ଭାସୁଥିବାରୁ ଦୁର୍ଗନ୍ଧ ହେଉଥିବା ହିନ୍ଦୁ ପକ୍ଷରୁ ଆବେଦନରେ କୁହାଯାଇଥିଲା । ଶିବ ଲିଙ୍ଗ ପାଖରେ ମୃତ ମାଛ ଭାସୁଥିବାରୁ ଏହା ଶିବ ଭକ୍ତଙ୍କ ଭାବନାକୁ କ୍ଷତି ପହଞ୍ଚାଉଥିବା ଦର୍ଶାଯାଇଥିଲା ।
ଯେହେତୁ ସେଠାରେ ଏକ ଶିବଲିଙ୍ଗ ଅଛି ଯାହା ହିନ୍ଦୁମାନଙ୍କ ପାଇଁ ପବିତ୍ର, ତେଣୁ ଏହାକୁ ସମସ୍ତ ଅପରିଷ୍କାର ବସ୍ତୁ , ମୃତ ପଶୁଙ୍କ ଠାରୁ ଦୂରରେ ରଖିବା ଉଚିତ ବୋଲି ଆବେଦନ କରାଯାଇଥିଲା । ଏବଂ ସିଲ ହୋଇଥିବା ଅଞ୍ଚଳକୁ ପରିଷ୍କାର କରିବା ପାଇଁ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନ କରାଯାଇଥିଲା । ଏହି ଆବେଦନ ଉପରେ ଶୁଣାଣି କରିବା ସହ ପୋଖରୀକୁ ସଫା କରିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।