ଭୁବନେଶ୍ୱର : ରାଜ୍ୟରେ ବଦଳିଲା ପାଗ । ଭୋରରୁ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା । ଫଳରେ ଖସିଲା ପାରଦ । ରାଜ୍ୟର ଅଧିକାଂଶ ସ୍ଥାନରେ ତଳମୁହାଁ ପାରଦ । ଗତ ୨୪ ଘଣ୍ଟାରେ କେବଳ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଆଜି ଭୋରରୁ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଆଜି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ ବୌଦ୍ଧରେ ଘଡ଼ଘଡ଼ି ସହ ବର୍ଷା ହେବ ।
ଏଥିପାଇଁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୫ ଦିନ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି । ୨୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ପଶ୍ଚିମା ଝଡ଼ ଓ ଗୁରୁଚାପ ବଳୟ ଯୋଗୁ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହିବ । ଏହା ପଶ୍ଚିମ ପଟରୁ ଆସୁଥିବା ଶୁଷ୍କ ପବନ ସଂସ୍ପର୍ଶରେ ଆସି ବର୍ଷା କରାଇବା ସମ୍ଭାବନା ରହିଛି । ବର୍ଷା ତାତିରୁ ଆଶ୍ବସ୍ତି ଆଣିଦେବ ।