ବାଲେଶ୍ୱର : ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ୯୦୦ ରହିଛି । ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛି । ତେବେ ଆଗକୁ ମଧ୍ୟ ମୃତାହତ ସଂଖ୍ୟା ବଢିବାପାରେ ବୋଲି ଅନୁମାନ କରାଯାଉଛି ।
ସେହିପରି ଘଟଣାସ୍ଥଳରେ ଏନ୍ଡିଆର୍ଏଫ ଏବଂ ଓଡ୍ରାଫ୍ ଟିମ୍ଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶନିବାର ସକାଳୁ ସେନାର ଟିମ୍ ମଧ୍ୟ ପହଞ୍ଚିଛି । ଶୁକ୍ରବାର ଦିନ ଉଦ୍ଧାର କାର୍ଯ୍ୟ ସେନାର ସହଯୋଗ ନିଆଯିବ ବୋଲି ରେଳ ମନ୍ତ୍ରୀ ଘୋଷଣା କରିଥିଲେ । ଶୁକ୍ରବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣାରେ ପରେ ପ୍ରଥମେ ପ୍ରାଥମିକତା ହିସାବରେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁମାନଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କଟକ କିମ୍ବା ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି । କଟକ ବଡ଼ ମେଡିକାଲରେ ଲଗାତର ଭାବେ ଆହତଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସମୀକ୍ଷା କରିବେ । ଗତକାଲି ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାକୁ ନେଇ କହିଥିଲେ ଯେ, ଆମ ପାଇଁ ଉଦ୍ଧାରକାର୍ଯ୍ୟ ସବୁଠୁ ବଡ ପ୍ରାଥମିକତା । ସେହିଭଳି ଏହି ଘଟଣାରେ ପାଖାପାଖି ୯୦୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ୭ଟି ସ୍ପେଶାଲିଟି ହସ୍ପିଟାଲ ପ୍ରସ୍ତୁତ ରହିଛି । ଅନ୍ୟପଟେ ଆଜି ସାରା ରାଜ୍ୟରେ ଶୋକ ପାଳନ କରାଯିବ । ଦିନିକିଆ ଶୋକ ପାଳନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।