ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ସକାଳେ ସ୍ଥାନୀୟ ୟୁନିଟ ୮ ସ୍ଥିତ ବାଜିରାଉତ ଓ ମାଷ୍ଟରକ୍ୟାଣ୍ଟିନ୍ ଛକସ୍ଥିତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ମୁଖ୍ୟ ଅତିଥି ରୂପେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦାନ କରି ମୁକ୍ତି ସଂଗ୍ରାମର ସର୍ବକନିଷ୍ଠ ନାୟକ ବାଜିରାଉତ ଓ ସାମାଜିକ ନ୍ୟାୟ ଓ ଅହିଂସାର ଅଗ୍ରଦୂତ ଜୟପ୍ରକାଶ ନାରାୟଣଙ୍କ ସ୍ମୃତିଚାରଣ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ସମେତ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଶହୀଦ ବାଜି ରାଉତଙ୍କ ବଳିଦାନ ଦିବସ ଏବଂ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ଉଭୟ ମହାପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
‘ଉତ୍କଳ ପ୍ରସଙ୍ଗ’ ଓ ‘ ଓଡ଼ିଶା ରିଭ୍ୟୁ’ର ସଂପାଦିକା କସ୍ତୁରୀ ମହାପାତ୍ର, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ଛାତ୍ରଛାତ୍ରୀ, ବହୁ ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମର ପ୍ରତିନିଧି ଅମର ଶହୀଦ ବାଜିରାଉତ ଏବଂ ଲୋକନାୟକ ଜୟପ୍ରକାଶଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।