ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ୪୯ନଂ. ଜାତୀୟ ରାଜପଥ ତିଲେଇବଣି ବ୍ଲକର ଅସୁରଖୋଳ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶଗଡ଼କୁ ପଛରୁ ପିଟିଲା ଟ୍ରକ୍ । ଘଟଣାସ୍ଥଳରେ ଚାଷୀ ଦମ୍ପତିଙ୍କ ମୃତ୍ୟୁ । ସେହିପରି ଦୁଇ ବଳଦଙ୍କର ମଧ୍ୟ ପ୍ରାଣହାନି ଘଟିଛି।
ସୂଚନା ଯେ, ଗୁରୁବାର ଭୋର ସମୟରେ ଚାଷୀ ଦମ୍ପତି ନିଜର ଅମଳ ହୋଇଥିବା ଫସଲ ଆଣିବା ଲାଗି ଶଗଡ଼ରେ କ୍ଷେତକୁ ଯାଉଥିଲେ। ହଠାତ୍ ତିଲେଇବଣି ଛକରେ ଶଗଡ଼କୁ ପଛରୁ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସ୍ବାମୀ ଓ ସ୍ତ୍ରୀ ଚାପି ହୋଇଯାଇଥିଲେ। ଫଳରେ ଚାଷୀ ଦମ୍ପତି ଅସୁରଖୋଳ ଗ୍ରାମର ଶରତ ସାହୁ ଓ ସ୍ତ୍ରୀ ବିଶାଖା ସାହୁଙ୍କ ମୃତ୍ୟୁ ହୋଇଥିଲା। ଏହାସହିତ ଦୁଇ ବଳଦଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିବାର ଖବର ମିଳିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବରପାଇ ତିଲେଇବଣି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ କ୍ଷତିପୁରଣ ପ୍ରଦାନ ଦାବିରେ ଲୋକମାନେ ରାଜପଥରେ ରାସ୍ତାରୋକ କରିଥିବା ଜଣାପଡ଼ିଛି । ରାସ୍ତାରୋକ ଫଳରେ ସମ୍ବଲପୁର-ଦେବଗଡ଼ ଯାତାୟତ ବାଧାପ୍ରାପ୍ତ ହୋଇଛି।