ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ତାଲା ଖୋଲିଲା ନାହିଁ। ତେଣୁ ଭିତର ରତ୍ନଭଣ୍ଡାର ୩ଟି ତାଲା ଭଙ୍ଗା ଯାଇଛି। ତା’ପରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ସଦସ୍ୟମାନେ ଭିତର ରତ୍ନ ଭଣ୍ଡାରରେ ପ୍ରବେଶ କରିଛନ୍ତି। ସବୁ ଅଳଙ୍କାର ଆଲ୍ମିରା ଓ ସିନ୍ଦୁକରେ ଥିବା ବାହାରୁ ଦେଖିଲେ। ହେଲେ କୌଣସି ଆଲ୍ମିରା ଓ ସିନ୍ଦୁକ ଖୋଲାଯାଇ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ପ୍ରଥମେ ବାହାର ରତ୍ନଭଣ୍ଡାର ତାଲାଖୋଲା ଯାଇଥିଲା। ସେଠାରେ ଥିବା ସବୁ ଅଳଙ୍କାରକୁ ଚାଙ୍ଗଡ଼ା ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ନିଆଯାଇଥିଲା। ସମସ୍ତ ସଦସ୍ୟ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ସିଲ୍ କରାଯାଇଥିଲା। ତା’ପରେ ଅଧିକୃତ ବ୍ୟକ୍ତିମାନେ ଭିତର ରତ୍ନଭଣ୍ଡାର ପାଖକୁ ଯାଇଥିଲେ। ଟ୍ରେଜେରୀରୁ ଆସିଥିବା ୩ ଚାବିରେ ଭିତର ରତ୍ନଭଣ୍ଡାରରେ ଲାଗିଥିବା ୩ ତାଲା ଖୋଲିବାକୁ ଉଦ୍ୟମ କରିଥିଲେ। ହେଲେ ସମ୍ଭବପର ହୋଇନଥିଲା। ତେଣୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ୩ ତାଲା ଭାଙ୍ଗା ଯାଇଥିଲା। ତା’ପରେ ପୂରା କମିଟି ଭିତର ରତ୍ନଭଣ୍ଡାରକୁ ଯାଇଥିଲେ। ଭିତର ଭଣ୍ଡାରରେ ଯାହାସବୁ ଗଚ୍ଛିତ ରହିଛି, ତାହା ସିନ୍ଦୁକ ଓ ଆଲ୍ମିରାରେ ରହିଛି। କିନ୍ତୁ କୌଣସି ଅଳଙ୍କାର ଆମେ ଦେଖିନାହୁଁ। ଭିତର ରତ୍ନଭଣ୍ଡାର ଖୋଲାଲା ବେଳକୁ ବହୁ ସମୟ ହୋଇଯାଇଥିଲା। ସମସ୍ତଙ୍କ ସହମତିରେ ଆଜି ପାଇଁ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଆଉ ଗୋଟିଏ ଦିନରେ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ସ୍ଥାନାନ୍ତର କରାଯିବ ବୋଲି ଡକ୍ଟର ପାଢ଼ୀ କହିଛନ୍ତି।
ସେ ଆହୁରି କହିଛନ୍ତି, ସମସ୍ତ ଅଳଙ୍କାର ସ୍ଥାନାନ୍ତର ହେବା ପରେ ରତ୍ନଭଣ୍ଡାରକୁ ଏଏସ୍ଆଇକୁ ହସ୍ତାନ୍ତର କରାଯିବ। ଏଏସ୍ଆଇ ରତ୍ନଭଣ୍ଡାରର ରକ୍ଷଣାବେକ୍ଷଣା କରିସାରିବା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇଥିବା ଅଳଙ୍କାରକୁ ପୁଣି ଥରେ ରତ୍ନଭଣ୍ଡାରକୁ ନିଆଯିବ। ସେହି ସମୟରେ ସମସ୍ତ ଅଳଙ୍କାରର ଗଣତି ମଣତି କରାଯିବ ଡକ୍ଟର ପାଢ଼ୀ କହିଛନ୍ତି।
ରବିବାର ୧୧ ଜଣିଆ ଟିମ୍ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ ମିନିଟରେ ରତ୍ନ ଭଣ୍ଡାର ଭିତରକୁ ଯାଇଥିଲେ । ବାହାର ତାଲା ଖୋଲାଯାଇ ଟିମ୍ ଭିତରକୁ ଯାଇଥିଲା । ତେବେ ଭିତର ରତ୍ନ ଭଣ୍ଡାର ତାଲା ଚାବିରେ ନଖୋଲିବାରୁ ତାଲା ଭଙ୍ଗାଯାଇ ଭଣ୍ଡାର ଖୋଲାଯାଇଛି । ଏନେଇ ପାଳିଆ ସେବାୟତ ନରେଶ କର ସୂଚନା ଦେଇଛନ୍ତି । ଭିତରେ ବଡ ବଡ ମୂଷା ଗର୍ତ୍ତ ରହିଥିବା ଦେଖିବାକୁ ମିଳିଛି । ୧୧ ଜଣିଆ ସଦସ୍ୟ ପ୍ରାୟ ୨ ଘଣ୍ଟା ଭିତରେ ତନଖି କରିବା ପରେ ଭିତର ରତ୍ନ ଭଣ୍ଡାର ତାଲା ଭାଙ୍ଗି ଖୋଲିଥିବା ସୂଚନା ଦେଇଛନ୍ତି । ତେବେ ଆଜି ରତ୍ନଭଣ୍ଡାର ଯାଞ୍ଚ ହେବାର ହିଁ ଯୋଜନା ରହିଥିଲା । ରତ୍ନ ଅଳଙ୍କାର ଗଣତି ନେଇ କୌଣସି ଯୋଜନା ନଥିଲା । ତେଣୁ ଭିତର ରତ୍ନ ଭଣ୍ଡାର ତାଲା ଭାଙ୍ଗିବା ପରେ ତାକୁ ସିଲ୍ କରିଦିଆଯାଇଛି । ପୁଣି ଏକ ତାରିଖ ନିର୍ଦ୍ଧାରିତ କରି ଆଗାମୀ ପଦକ୍ଷେପ ନିଆଯିବ । ଅନ୍ୟପଟେ ରତ୍ନ ଭଣ୍ଡାର ବାହାର ସ୍ନେକ ହେଲ୍ପ ଲାଇନର ପ୍ରାୟ ୧୨ ଜଣ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ପରାମର୍ଶ ରହିଥିଲା । ଆବଶ୍ୟକ ପଡିଲେ ସେମାନଙ୍କୁ ଭିତରକୁ ଡକାଯାଇଥାନ୍ତା । ତେବେ ଆଜି ସେମାନଙ୍କୁ ଭିତରକୁ ଡକାଗଲାନି । ଅନ୍ୟପଟେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ ରତ୍ନ ଭଣ୍ଡାରର ବାହାର ତାଲା ଖୋଲିବା ପରେ ମିଳିଥିବା ସମସ୍ତ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇଛି । ଅସ୍ଥାୟୀ ରତ୍ନ ଭଣ୍ଡାରରେ ଏହାର ଗଣତି ମଣତି ହେବ । କହିରଖୁଛୁ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ଅଧିକ୍ଷକ , ରତ୍ନଭଣ୍ଡାର ସବ୍ କମିଟିର ଜଣେ , ହାଇଲେବୁଲ୍ କମିଟିର ଦୁଇ ଜଣ ସଦସ୍ୟ , ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର , ଭଣ୍ଡାର ମେକାପ, ଚଢାଉ କରଣ ଓ ଦେଉଳ କରଣ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯାଇଛି। ଶେଷଥର ପାଇଁ ୧୯୭୮ ମସିହାରେ ଭିତର ରତ୍ନଭଣ୍ଡାର ଖୋଲିଥିଲା।