ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୨ରେ ଉତ୍ତର ପ୍ରଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଆୟୋଜନ ଅବସରରେ ଯୋଗୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଦେଇଥିବା ଆଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ଏହି ସାର୍ବାଜାନୀନ ଛୁଟି ଘୋଷଣା କରିବାକୁ କହିଛନ୍ତି । ଏହାସହ ଜାନୁଆରୀ ୨୨ ରାଜ୍ୟରେ ମଦ ବିକ୍ରି ହେବ ନାହିଁ । ଏହାପୂର୍ବରୁ ଏନେଇ ଆଦେଶ କରାଯାଇଥିଲା, କିନ୍ତୁ ଏବେ ପୁଣି ଥରେ ଏହାକୁ ଦୋହରା ଯାଇଛି । ଉଲ୍ଲେଖଯୋଗ୍ୟ ଯେ ୟୁପି ସହ ଛତିଶଗଡ଼ ଏବଂ ଆସାମ ସରକାର ଜାନୁଆରୀ ୨୨ରୁ ଡ୍ରାଇ ଡେ ଘୋଷଣା କରିଛନ୍ତି ।
ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମଲାଲା ବିରାଜମାନ କରିବେ । ଅପରାହ୍ଣ ୧୨ଟାରେ ପ୍ରାଣ ପ୍ରତିଷ୍ଠା ମୁହୂର୍ତ୍ତ ରହିଛି । ଏଥିପାଇଁ ବ୍ୟାପକ ସ୍ତରରେ ଆୟୋଜନ କରାଯାଉଛି ଏବଂ ଦେଶ-ଦୁନିଆର ପ୍ରାୟ ୧୦ ହଜାର ଭିଭିଆଇପି ଅତିଥି ଏହି ଅବସରରେ ଅଯୋଧ୍ୟା ପହଞ୍ଚିବେ । ଏହି ଦିନକୁ ଖାସ୍ କରିବା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ କୁହାଯାଇଛି ।
ମଙ୍ଗଳବାର ଅଯୋଧ୍ୟା ଗସ୍ତ କରିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲାଲା ଏବଂ ହନୁମାନ ଗଢିର ଦର୍ଶନ-ପୂଜନ ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପଦାଧିକାରୀଙ୍କ ସହ ବୈଠକ କରିଥିଲେ । ମକର ସଂକ୍ରାନ୍ତି ପରେ ଆରମ୍ଭ ହେଉଥିବା ପ୍ରାଣ ପ୍ରତିଷ୍ଠାର ବୈଦିକ ଅନୁଷ୍ଠାନର ପ୍ରସ୍ତୁତି ଯାଞ୍ଚ କରିବା ସହ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସହ ମିଶି ସମସ୍ତ ଆବଶ୍ୟକୀୟ ସହଯୋଗ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।