ନୟାଗଡ : ବନ୍ୟଜନ୍ତୁ ଶିକାର ପାଇଁ ନିଜେ ବିଛାଇଥିବା ବିଦ୍ୟୁତ ତାର ଫାଶରେ ପଡି ଜଣେ ୱାଚରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଛାମୁଣ୍ଡିଆ ଗ୍ରାମର ରଞ୍ଜନ କୁମାର ସେଠୀ (୩୩) । ମୃତ ରଞ୍ଜନ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳର ବଡମୂଳ ବିଟ ଅଞ୍ଚଳରେ ୱାଚର ଭାବେ କାର୍ଯ୍ୟ କରୁଥିଲେ । ଗତ ଶୁକ୍ରବାର ଛୁଟି ନେଇ ଘରକୁ ଆସିଥିବା ବେଳେ ରାତ୍ରିରେ ବଡମୂଳ ମଙ୍ଗାନାସୀ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ନିକଟ କଣତଇଲା ଜଙ୍ଗଲରେ ବାରହା ଶିକାର ପାଇଁ ସହେଯାଗୀଙ୍କ ସହ ବିଦ୍ୟୁତ ତାରରେ ଫାଶ ପକାଇଥିଲେ । ତେବେ ନିଜେ ପକାଇଥିବା ବିଦ୍ୟୁତ ତାର ଫାଶରେ ରଞ୍ଜନ ପଡି ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନା ଯେ, ଗତ ଶୁକ୍ରବାର ସନ୍ଧ୍ୟାରେ ବାଇକ ଯୋଗେ ନିକଟସ୍ଥ କନ୍ଧଜିଲିଣ୍ଡା ଗ୍ରାମର ପୋଖରୀ ହୁଡାରେ ବାଇକ ରଖି ବିଦ୍ୟୁତ ତାର ଫାଶ ପକାଇବାକୁ ଯାଇଥିଲେ । ଶନିବାର ସକାଳ ପର୍ଯ୍ୟନ୍ତ ରଞ୍ଜନ ଘରକୁ ଫେରି ନ ଥିବା ଦେଖି ପରିବାର ଲୋକ ଖୋଜାଖୋଜି କରିଥିଲେ । ରଖିଥିବା ବାଇକକୁ ଦେଖି ଖୋଜାଖୋଜି କରିବା ପରେ ଜଙ୍ଗଲରୁ ରଞ୍ଜନଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଫାଶ ପକାଯାଇଥିବା ତାର, ବାଡି. ଛୁରୀ, ଓ ସହେଯାଗୀଙ୍କ ଚପଲ ମିଳିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରଞ୍ଜନର ଛାତି ଓ ପେଟରେ ଗଭୀର କ୍ଷତ ହୋଇଛି । ଖବରପାଇ ଘଟଣାସ୍ଥଳରେ ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।