ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ୯୦ ପ୍ରତିଶତ ନାଗରିକ ପ୍ରତିଦିନ ନ୍ୟାୟର ସମ୍ମୁଖୀନ ହେଉଛନ୍ତି ଏବଂ ସେଥିପାଇଁ ତାଙ୍କର ଦ୍ୱିତୀୟ ଭାରତ ଯୋଡୋ ଯାତ୍ରାରେ “ନ୍ୟାୟ” ନୂଆ ଶବ୍ଦ ଯୋଡିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ମହାରାଷ୍ଟ୍ର ପର୍ଯ୍ୟାୟରେ ଏକ ‘ନାରୀ ନ୍ୟାୟ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ରାହୁଲ ଏଭଳି କହିଛନ୍ତି।
ସେ କହିଛନ୍ତି, ଆମର ଦ୍ୱିତୀୟ ଭାରତ ଯୋଡୋ ଯାତ୍ରାରେ ଆମେ ନୂଆ ଶବ୍ଦ ‘ନ୍ୟାୟ’ ଯୋଡ଼ିଛୁ କାରଣ ଆମର ପ୍ରଥମ ଯାତ୍ରାରେ ଆମେ ଯାହାକୁ ଭେଟିଥିଲୁ, କୃଷକ ହୁଅନ୍ତୁ, ଯୁବକ ହୁଅନ୍ତୁ କିମ୍ବା ମହିଳା, ହିଂସା ଓ ଘୃଣାର କାରଣ ଅନ୍ୟାୟ ବୋଲି କହିଥିଲେ। ପ୍ରତିଦିନ ୯୦ ପ୍ରତିଶତ ଭାରତୀୟ ଅନ୍ୟାୟର ସମ୍ମୁଖୀନ ହେଉଛନ୍ତି ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି। ବଢୁଥିବା ଆୟ ଅସମାନତା ଏବଂ ଏହାର ନାଗରିକଙ୍କ ମଧ୍ୟରେ ସମ୍ପତ୍ତି ଓ ଆୟର ଅସମାନ ବଣ୍ଟନ ଉପରେ ମଧ୍ୟ ସେ ବକ୍ତବ୍ୟ ରଖିଥିଲେ। ମୁଁ ଜାଣେ ନାହିଁ ଆପଣମାନେ ସମସ୍ତେ ଏହା ଜାଣନ୍ତି କି ନାହିଁ, କିନ୍ତୁ ଭାରତରେ ୨୨ ଜଣଙ୍କ ସମ୍ପତ୍ତି ୭୦ କୋଟି ଲୋକଙ୍କ ସମ୍ପତ୍ତି ସହ ସମାନ ବୋଲି ୱାୟନାଡ ସାଂସଦ କହିଛନ୍ତି। ତେବେ ଭାରତରେ ଆୟ ଅସମାନତା ହ୍ରାସ ପାଇଛି ଏବଂ ଟିକସଦାତାଙ୍କ ସଂଖ୍ୟା କମ୍ ଆୟରୁ ଅଧିକ ଆୟକର ବର୍ଗକୁ ସ୍ଥାନାନ୍ତରିତ ହୋଇଛି ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅର୍ଥନୈତିକ ଗବେଷଣା ବିଭାଗ ପକ୍ଷରୁ କୁହାଯାଇଛି।