ନୂଆଦିଲ୍ଲୀ : ଶ୍ରୀଲଙ୍କାରରେ ସରିଛି ରାଷ୍ଟ୍ରପତି ନିର୍ବାଚନ। ଶ୍ରୀଲଙ୍କାର ସାଧାରଣ ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ପରାଜିତ ହୋଇଛନ୍ତି। ବାମପନ୍ଥୀ ନେତା ଅନୁରା କୁମାରା ଦିସାନାୟକେ ଆଶ୍ଚର୍ଯ୍ୟଜନକ ଭାବେ ବିକ୍ରମସିଂଘେଙ୍କୁ ହରାଇ ଦେଶର ନୂତନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।
ଦେଶର ରାଷ୍ଟ୍ରପତି ଚୟନ କରିବା ଲାଗି ଶ୍ରୀଲଙ୍କାରେ ସେପ୍ଟେମ୍ବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହା ପରେ ସନ୍ଧ୍ୟା ୫ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲେ। ୧ କୋଟି ୭୦ ଲକ୍ଷ ମତଦାତାଙ୍କ ମଧ୍ୟରୁ ୭୫ ପ୍ରତିଶତ ଭୋଟର ମତଦାନ କରିଥିଲେ। ୨୦୧୯ ନିର୍ବାଚନରେ ୮୩ ପ୍ରତିଶତ ମତଦାନ ହୋଇଥିଲା।
ଶ୍ରୀଲଙ୍କା ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, ବାମପନ୍ଥୀ ନେତା ଅନୁରା କୁମାରାଙ୍କୁ ୫୨ ପ୍ରତିଶତ ଭୋଟ ମିଳିଛି। ସେ ନେସନାଲ ପିପୁଲ୍ସ ପାଓ୍ବାର(ଏନପିପି) ମେଣ୍ଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଅନ୍ୟପଟେ ବିକ୍ରବସିଂଘେଙ୍କୁ ମାତ୍ର ୧୬ ପ୍ରତିଶତ ଭୋଟ ପାଇ ୩ୟ ସ୍ଥାନରେ ରହିଛନ୍ତି। ସାଜିଶ ପ୍ରେମଦାସା ୨୨ ପ୍ରତିଶତ ଭୋଟ ସହିତ ୨ୟ ସ୍ଥାନରେ ରହିଛନ୍ତି। ୨୦୨୨ରେ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଦେଖାଦେବା ପରେ ଏହା ହେଉଛି ପ୍ରଥମ ନିର୍ବାଚନ। ୨୦୨୨ରେ ଆର୍ଥିକ ସଙ୍କଟରେ ଶ୍ରୀଲଙ୍କା ଛନ୍ଦି ହେବା ପରେ ତତ୍କାଳୀନ ରାଷ୍ଟ୍ରପତି ରାଜପାକ୍ଷା ଗୋଟାବାୟାଙ୍କ ବିରୋଧରେ ବଡ଼ ଧରଣର ବିଦ୍ରୋହ ହୋଇଥିଲା। ଫଳରେ ସେ ଦେଶ ଛାଡ଼ି ପଳାଇଥିଲେ। ଏହି ସମୟରେ ବିକ୍ରମସିଂଘେ ରାଷ୍ଟ୍ରପତି ଗାଦିରେ ବସିଥିଲେ।
୨୦୨୨ ମସିହାରେ ହୋଇଥିବା ଆର୍ଥିକ ସଙ୍କଟ ପରେ ଶ୍ରୀଲଙ୍କାରେ ଏହା ହେଉଛି ପ୍ରଥମ ରାଷ୍ଟ୍ରପତି ନିର୍ବାଚନ। ଖାଦ୍ୟ ଶସ୍ୟ, ଇନ୍ଧନ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ଅଭାବ ମଧ୍ୟରେ ଶ୍ରୀଲଙ୍କା ଏପ୍ରିଲ୍ ୨୦୨୨ ରେ ଦେବାଳିଆ ହୋଇଥିବା ଘୋଷଣା କରାଯାଇଥିଲା। ଦେଶରେ ମାସେ ଧରି ବିରୋଧ ପ୍ରଦର୍ଶନ ହିଂସାତ୍ମକ ରୂପ ନେବା ପରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଶ୍ରୀଲଙ୍କା ଛାଡି ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ପରେ ବିକ୍ରମସିଂଘେଙ୍କୁ ନୂତନ ରାଷ୍ଟ୍ରପତି ଭାବରେ ନିଯୁକ୍ତ କରାଯାଇଥିଲା।