ଭୁବନେଶ୍ୱର : ଜାମିନ ପରେ ଜେଲରୁ ମୁକୁଳିଲେ ଅର୍ଚ୍ଚନା ନାଗ । ୧୪ ମାସ ପରେ ଜେଲ ଚାରିକାନ୍ଥରୁ ବାହାରିଛନ୍ତି । ବେଲ୍ ମିଳିବାର ସପ୍ତାହେ ପରେ ଆଜି ସକାଳୁ ସକାଳୁ ଭୁବନେଶ୍ବର ଝାରପଡ଼ା ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା । ତାଙ୍କୁ ସାଙ୍ଗରେ ନେଇଥିଲେ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଝାରପଡ଼ା ଜେଲରୁ ସେ ଯାଇଥିଲେ ସତ୍ୟବିହାର ସ୍ଥିତ ଘରକୁ । ସେଠାରେ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ତାଙ୍କୁ ସ୍ବାଗତ କରିଥିଲେ ପରିବାର ସଦସ୍ୟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଗତ ସୋମବାର ଦିନ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ହାଇକୋର୍ଟ ।
ଖବର ଅନୁଯାୟୀ, ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଥିଲା ଜାମିନ । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନ ପାଇଛନ୍ତି । ତେବେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ନକରିବା ଏବଂ ପ୍ରତ୍ୟେକ ତାରିଖରେ କୋର୍ଟରେ ହାଜିରା ଦେବା ଲାଗି ସର୍ତ୍ତ ରଖିଛନ୍ତି ମାନ୍ୟବର ହାଇକୋର୍ଟ । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଅର୍ଚ୍ଚନା ଜାମିନ ପାଇସାରିଛନ୍ତି । ମୋଟ ତିନୋଟି ମାମଲାରେ ଜାମିନ ପାଇସାରିଛନ୍ତି ଅର୍ଚ୍ଚନା । ଦୀର୍ଘ ୧୪ ମାସ ଧରି ଝାରପଡ଼ା ଜେଲ୍ରେ ଥିଲେ ଅର୍ଚ୍ଚନା ନାଗ । ଶେଷରେ ମଙ୍ଗଳବାର (ଡିସେମ୍ବର ୧୨ ) ଦିନ ଜେଲ୍ରୁ ବାହାରିଛନ୍ତି ଅର୍ଚ୍ଚନା ନାଗ ।