ନୂଆଦିଲ୍ଲୀ: ଦିଲ୍ଲୀରେ କଥିତ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲକୁ ପୁଣି ଥରେ ସମନ ପଠାଇଛି । ରିପୋର୍ଟ ଅନୁସାରେ ଦିଲ୍ଲୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡି ଷଷ୍ଠ ସମନ ଜାରି କରିଛି । ଫେବ୍ରଆରୀ ୧୯ରେ ପଚରାଉଚରା ପାଇଁ ହାଜର ହେବାକୁ କହିଛି । ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ଏବେ ସୁଦ୍ଧା ଇଡି ନୋଟିସକୁ ଅଣଦେଖା କରି ଆସୁଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସବୁଥର ଇଡିର ନୋଟିସକୁ ବେଆଇନ ବୋଲି କହି ଆସୁଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ନୋଟିସ ଅଣଦେଖାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଇଡିର କହିବା ଅନୁସାରେ ନୂଆ ଅବକାରୀ ନୀତି ସହ ଜଡ଼ିତ ଆର୍ଥିକ ଅନିୟମିତତା ମାମଲାରେ କେଜ୍ରିୱାଲଙ୍କୁ ପାଞ୍ଚ ଥର ନୋଟିସ୍ ଜାରି କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ସେ ଏହି ସମନର କୌଣସି ଅନୁକୂଳ ଉତ୍ତର ଦେଇ ନାହାନ୍ତି । ଗତ ଫେବ୍ରୁଆରୀ ୭ରେ ଇଡି ଏହି ମାମଲାକୁ ରାଉଜ ଏଭେନ୍ୟୁ କୋର୍ଟରେ ଉଠାଇଥିଲା ।
ଏହା ଉପରେ କୋର୍ଟ ଶୁଣାଣି କରିଥିଲେ । ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ୍ ଦିବ୍ୟା ମଲହୋତ୍ରା ଶୁଣାଣି ବେଳେ କହିଥିଲେ ଯେ ପିଏମଏଲଏର ଧାରା ୫୦ ଅଧିନରେ ଯାଞ୍ଚ ଏଜେନ୍ସି ତଦନ୍ତ ପାଇଁ ଯେକୌଣସି ବ୍ୟକ୍ତିଙ୍କୁ ଡାକି ପାରିବ । ଅଭିଯୁକ୍ତର ଉପସ୍ଥିତି ପ୍ରମାଣ ଦେବା କିମ୍ୱା ରେକର୍ଡ ଉପସ୍ଥାପନ ପାଇଁ ଜରୁରୀ ଅଟେ । ଏପରି ଭାବେ ଅଧିନିୟମର ଧାରା ୫୦ (୩୦) ଆଧାରରେ ଏପରି ନୋଟିସ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ବାଧ୍ୟ ଅଟନ୍ତି, କିନ୍ତୁ କଥିତ ରୂପେ ସେ ଏପରି କରିବାରେ ବିଫଳ ହୋଇଛନ୍ତି । ଏହାସହ କୋର୍ଟ ଇଡି ନୋଟିସର ଅବଜ୍ଞା କରିବାକୁ ନେଇ କେଜ୍ରିୱାଲଙ୍କୁ ଫେବ୍ରୁଆରୀ ୧୭ରେ କୋର୍ଟରେ ହାଜର ହେବା ପାଇଁ କହିଥିଲେ । ଏବେ ପୁଣି ଥରେ ଇଡି ପକ୍ଷରୁ କେଜ୍ରିୱାଲଙ୍କୁ ସମନ ଜାରି କରାଯାଇଛି ।