ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅତିଶୀ ମାର୍ଲେନା। ରାଜନିବାସରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଉପରାଜ୍ୟପାଳ ଭି. କେ. ସକ୍ସେନା ଅତିଶୀଙ୍କୁ ପଦ ଓ ଗୋପନୀୟତାର ସହିତ ଶପଥପାଠ କରାଇଛନ୍ତି। ଅତିଶୀଙ୍କ ସହିତ ଅନ୍ୟ ୫ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଲେ ସୌରଭ ଭରଦ୍ଵାଜ, ଗୋପାଳ ରାୟ, କୈଳାସ ଗେହଲଟ, ଇମ୍ରାନ ହୁସେନ ଏବଂ ମୁକେଶ ଅହଲାଓ୍ବତ ପ୍ରମୁଖ।
ତେବେ ଆତିଶୀଙ୍କ ସହ କ୍ୟାବିନେଟର ପାଞ୍ଚ ମନ୍ତ୍ରୀ ଗୋପାଳ ରାୟ, କୈଳାଶ ଗେହଲଟ, ସୌରଭ ଭରଦ୍ୱାଜ, ଇମ୍ରାନ ହୁସେନ ଏବଂ ମୁକେଶ ଅହଲୱାତ ଶପଥ ନେଇଛନ୍ତି। ସୁଲତାନ ପୁର ମଜ୍ରାର ବିଧାୟକ ମୁକେଶ ଅହଲୱାତ କ୍ୟାବିନେଟର ନୂଆ ମନ୍ତ୍ରୀ ହୋଇ ଥିବାବେଳେ ଅନ୍ୟ ଚାରି ଜଣ ପୂର୍ବ ମନ୍ତ୍ରୀମଣ୍ଡଳରେ ଥିଲେ।ତେବେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ ୭ ଜଣ ସଦସ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୬ ଜଣ ସଦସ୍ୟ ଅଛନ୍ତି। କ୍ୟାବିନେଟରେ ସପ୍ତମ ସଦସ୍ୟ କିଏ ହେବେ, ସେନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ। ସେହିପରି ପୂର୍ବ କ୍ୟାବିନେଟ ମନ୍ତ୍ରୀଙ୍କ ପଦ ବଜାୟ ରହିବ କି ନାହିଁ, ସେନେଇ ମଧ୍ୟ ସ୍ପଷ୍ଟ ହୋଇନାହିଁ।
ପ୍ରକାଶ ଥାଉକି, ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇଥିଲେ କେଜ୍ରିୱାଲ। ସେ ୬ ମାସ ଜେଲରେ ରହିବା ପରେ ସେପ୍ଟେମ୍ବର ୧୪ରେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ। ଏହା ପରଦିନ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ। ଏହା ପରେ ପରେ ସେ ଉପରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଥିଲେ। ରାଷ୍ଟ୍ରପତି କେଜ୍ରିଓ୍ବାଲଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିବା ସହିତ ଆମ ଆଦମୀ ପାର୍ଟିର ନିଷ୍ପତ୍ତି ଅନୁସାରେ ଅତିଶୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଇଥିଲେ। ଏହାପରେ ଶନିବାର ଅତିଶୀଙ୍କୁ ଉପରାଜ୍ୟପାଳ ଶପଥପାଠ କରାଇଛନ୍ତି।