ବାଲେଶ୍ୱର : ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ନଂ ୩ ଲଞ୍ଚ କମ୍ପେ୍ଲକ୍ସରୁ ଗୁରୁବାର କ୍ଷେପଣାସ୍ତ୍ର ପରୀକ୍ଷଣ ହେବ । ଏଥିପାଇଁ ଏହି ଲଞ୍ଚ କମ୍ପେ୍ଲକ୍ସ ଆଖପାଖ ୨.୫ କିମି ପରିଧି ଭିତରେ ଥିବା ସ୍ଥାନୀୟ ଅଞ୍ଚଳର ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଶିବିର, ବାତ୍ୟା ଆଶ୍ରୟସ୍ଥଳରେ ରଖାଯିବ ।
ଚାନ୍ଦିପୁର ଡିଆରଡିଓ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ଏହି ପରୀକ୍ଷଣ ହେବ । କ୍ଷେପଣାସ୍ତ୍ର ପରୀକ୍ଷାର ସୂଚାରୁ ପରିଚାଳନା ସହ ସୁରକ୍ଷା ପାଇଁ ପ୍ରତିରକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯାଉଛି । ଜୟଦେବକସବା ପାହି ଓ ସାହାଜାନଗର ପାହି ଅଞ୍ଚଳରେ ୧୦୯୩, ଭୀମପୁର ପାହି ଓ ତୁଣ୍ଡରା ପାହି ଅଞ୍ଚଳରେ ୮୯୫, ଖଡୁପାହି ଓ କୁସୁମୁଳୀ ଅଞ୍ଚଳର ୧୧୧୨ ଜଣଙ୍କୁ ସ୍ଥାନାନ୍ତରଣ ପାଇଁ ବ୍ୟବସ୍ଥା କରାଯାଇଛି । ଜୟଦେବକସବା ପାହି ଏବଂ ସାହାଜାନନଗର ପାହିର ଜନସାଧାରଣଙ୍କ ନିମନ୍ତେ ଅସ୍ଥାୟୀ ଶିବିର ଜୟଦେବକସବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀଠାରେ ନିର୍ମାଣ କରାଯାଇଛି । ଖଡୁପାହି ଓ ତୁଣ୍ଡରା ପାହିର ଜନସାଧାରଣଙ୍କ ପାଇଁ ଅସ୍ଥାୟୀ ଶିବିର ଖଡୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ କରାଯାଇଛି । ସେହିଭଳି କୁସୁମୁଳି ଓ ଭୀମପୁର ପାହିର ଜନସାଧାରଣଙ୍କ ପଇଁ ଭୀମପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ଶିବିର କରାଯାଇଛି ।
ଏହି ଲୋକେ ଗୁରୁବାର ସକାଳ ୬ରୁ କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ କୁହାଯାଇଛି । ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଜଳଖିଆ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ପ୍ରତି ସାବାଳକଙ୍କୁ ୪୫୦ ଟଙ୍କା, ନାବାଳକଙ୍କୁ ୨୭୫ ଟଙ୍କା ପ୍ରଦାନ କରାଯିବ । ଗୋଖାଦ୍ୟ ପାଇଁ ପ୍ରତି ପରିବାରକୁ ୧୦୦ ଟଙ୍କା ଦିଆଯିବ । ଏହା ସହ ଆମୋଦପ୍ରମୋଦ ପାଇଁ ପ୍ରତି ଜଣଙ୍କୁ ୨୦ ଟଙ୍କା, ତାଲା ପାଇଁ ୪୦ ଟଙ୍କା ଦିଆଯିବ । ଏହି ଟଙ୍କା ସେହିଦିନ ପୂର୍ବାହ୍ନ ୧୧ଟା ସୁଦ୍ଧା ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ପ୍ରଦାନ କରାଯିବ ବୋଲି ଏଡିଏମ୍ (ରାଜସ୍ୱ) ନିରଞ୍ଜନ ବେହେରା କହିଛନ୍ତି । ସେହିଭଳି ସ୍ଥାନାନ୍ତରଣ ହେଉଥିବା ଅଞ୍ଚଳରେ ୫୨୬ଜଣ ମତ୍ସ୍ୟଜୀବୀଙ୍କ ତାଲିକା ଜିଲ୍ଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର ବେହେରା ଜିଲ୍ଲା ପ୍ରଶାସନଙ୍କୁ ପ୍ରଦାନ କରିଛନ୍ତି ।