ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଶନିବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୩ ତାରିଖରେ ଏହା ଲଘୁଚାପ ରୂପ ନେବ। ଏହା ପ୍ରଭାବରେ ୨୩ରୁ ୨୫ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । ଉତ୍ତର ଓଡ଼ିଶାରେ ବି ବର୍ଷିପାରେ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି, ଶନିବାର ରାତି ୯ଟାରେ ଉତ୍ତର ବଙ୍ଗୋପସାଗର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର କେନ୍ଦ୍ରରେ ଏକ ଘୂର୍ଣ୍ଣିବଳୟ ରହିଛି । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ୨୪ ତାରିଖରେ ଏହା ଅବପାତ ରୂପ ନେଇପାରେ । ୨୫ରେ ଓଡ଼ିଶା ଉପକୂଳ ସଂଲଗ୍ନରେ ରହିବ । ଏହା ପ୍ରଭାବରେ ୨୨ ଓ ୨୩ ତାରିଖରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୪ ତାରିଖରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପ ବର୍ଷା ହେବ । ୨୫ ତାରିଖରେ ବର୍ଷା ବଢ଼ିବ । କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।
୨୬ ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଅଛି ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । ୨୭ ତାରିଖରେ ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୨୨ରୁ ୨୭ ତାରିଖ ଯାଏ ମୋଟ ୮୦ ମିମି ବର୍ଷା ହୋଇପାରେ । ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ୧୦୦ ମିମି ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶନିବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଥାଇଲାଣ୍ଡର ଉତ୍ତର ଭାଗରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଦୁଇ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ପଶ୍ଚିମ ଅଞ୍ଚଳରେ ସୋମବାର ଏକ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ୨୩ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ୭୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଅଛି ।
୨୪ରେ ମାଲକାନଗିରି, କୋରାପୁଟ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାରେ ପ୍ରବଳ ବର୍ଷା ହୋଇପାରେ । ୨୫ରେ ବି ଏହି ସବୁ ସ୍ଥାନରେ ଅଧିକ ବର୍ଷା ହୋଇପାରେ । ପଶ୍ଚିମ ରାଜସ୍ଥାନ ଓ କଚ୍ଛ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।