ସମ୍ଭାବ୍ୟ ବାତ୍ୟା ଗତିପଥ ଏବଂ ତୀବ୍ରତା ନେଇ ଅସ୍ପଷ୍ଟ
ଭୁବନେଶ୍ୱର : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା ୨୧ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ୨୩ ତାରିଖବେଳକୁ ନେବ ଅବପାତ (ଡିପ୍ରେସନ୍) ରୂପ । ଏହି ପୂର୍ବାନୁମାନ ଦେଖାଇଛି ଭାରତୀୟ ପାଣିପାଗ ବିଭାଗ ।
ଏହା ଆଗକୁ କେତେ ଶକ୍ତିଶାଳୀ ହେବ? ବାତ୍ୟା ହେଲେ କୁଆଡ଼େ ମୁହାଁଇବ? ଏବେଠାରୁ କିଛି ସ୍ପଷ୍ଟ ଆକଳନ କରାଯାଇନାହିଁ । ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ ଦେଖାଉଛନ୍ତି । ଅଧିକାଂଶ ମଡେଲ୍ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛନ୍ତି । କିଛି ଦର୍ଶାଉଛନ୍ତି, ଏହା ଓଡ଼ିଶାକୁ ମୁହାଁଇବ । ଆଉ କିଛି ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁଇବା ସମ୍ଭାବନା କହୁଛନ୍ତି ।
ଆଇଏମ୍ଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବର୍ତ୍ତମାନ ଏହାର ସମ୍ଭାବ୍ୟ ତୀବ୍ରତା, ଗତିପଥ ନେଇ କିଛି କହିହେବନି । ଲଘୁଚାପ ହେବା ପରେ ହିଁ ଏ ନେଇ ସ୍ପଷ୍ଟ ଆକଳନ କରିହେବ । ବର୍ତ୍ତମାନ ଓଡ଼ିଶା ଉପରେ ଏହାର କିଛି ପ୍ରଭାବ ନାହିଁ । ୨୩ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୪ ଓ ୨୫ରେ ଅଧିକ ବର୍ଷା ହେବ । ଏପରିକି ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି ଉପକୂଳ ଓଡ଼ିଶାରେ । ଡ. ମହାପାତ୍ର କହିଛନ୍ତି, ସମୁଦ୍ର ଭିତରେ ୨୧ ତାରିଖରୁ ପ୍ରଭାବ ପଡ଼ିବ । ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀମାନେ ୨୧ ତାରିଖରୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ର ଭିତରକୁ ଯାଇଛନ୍ତି, ସେମାନେ ଶୀଘ୍ର ଫେରି ଆସନ୍ତୁ ।
ବିଭିନ୍ନ ଆନ୍ତର୍ଜାତିକ ମଡେଲ୍ ବାରମ୍ବାର ସମ୍ଭାବ୍ୟ ବାତ୍ୟା ଓ ଗତିପଥ ନେଇ ଭିନ୍ନ ଭିନ୍ନ ପୂର୍ବାନୁମାନ ଦେଖାଉଛନ୍ତି । ଇସିଏମ୍ଡବ୍ଲ୍ୟୁଏଫ୍ ମଡେଲ୍ ଦେଖାଉଛି, ଏହା ଓଡ଼ିଶା ଆଡ଼କୁ ମୁହାଁଇବ । ୨୪ ତାରିଖ ଅପରାହ୍ଣ ବେଳକୁ ଏହା ଓଡ଼ିଶା ଉପକୂଳ କଡ଼ରେ ଥିବ । ୨୫ ତାରିଖରେ ଓଡ଼ିଶା ଉପକୂଳ ଛୁଇଁପାରେ । ମାତ୍ର ଏହା ବାତ୍ୟା ରୂପ ନେଇ ନ ପାରେ । ଅବପାତ କିମ୍ବା ଗଭୀର ଅବପାତ ଅବସ୍ଥାରେ ସ୍ଥଳଭାଗ ଛୁଇଁପାରେ । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ ଭାରତ ଆଡ଼କୁ ଯାଇପାରେ ।
ଜିଏଫଏସ୍ ମଡେଲ୍ର ଆଜିର ଆକଳନ ହେଲା, ସମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେଇ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ଭିତରେ ପଶ୍ଚିମବଙ୍ଗରେ ମାଡ଼ ହୋଇପାରେ । ଏହାର ବଡ଼ ପ୍ରଭାବ କିନ୍ତୁ ଉତ୍ତର ଓଡ଼ିଶା ଉପରେ ପଡ଼ିପାରେ । ଇସି-ଏଆଇଏଫଏସ୍ ଅନୁସାରେ ସମ୍ଭାବ୍ୟ ବାତ୍ୟା ବିଶେଷ ଶକ୍ତିଶାଳୀ ନ ହୋଇପାରେ । ୨୫ ତାରିଖବେଳକୁ ଏହା ଉତ୍ତର ଓଡ଼ିଶା ପାଖ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ମାତ୍ର ଏହା ଓଡ଼ିଶାରେ ଅଧିକ ବର୍ଷା କରାଇପାରେ । ସିଏମସି ମଡେଲ୍ ଅନୁସାରେ ଛୋଟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁପାରେ ଆସନ୍ତା ୨୫-୨୬ ତାରିଖବେଳକୁ । ନାଭଜେମ୍ ମଡେଲ୍ ଦେଖାଉଛି- ଆସନ୍ତା ୨୪ ତାରିଖ ରାତିରେ ବାତ୍ୟା ଓଡ଼ିଶାରେ ମାଡ଼ ହେବାର ସମ୍ଭାବନା ଅଛି । ଆଉ କିଛି ମଡେଲ୍ ଅନୁସାରେ ଏହା ପଶ୍ଚିମବଙ୍ଗ-ବାଂଲାଦେଶକୁ ଯାଇପାରେ । କିଛି ମଡେଲ୍ ଆନ୍ଧ୍ର ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ ଦେଖାଉଛନ୍ତି ।
ତୀବ୍ରତା, ଗତିପଥକୁ ନେଇ ଭିନ୍ନ ଆକଳନ ଦେଖାଉଛନ୍ତି ବିଭିନ୍ନ ପାଣିପାଗ ମଡେଲ୍ । ତେଣୁ ଏହା ବାତ୍ୟା ହେବ କି ନାହିଁ? କେତେ ଶକ୍ତିଶାଳୀ ହେବ? କୁଆଡ଼େ ଯିବ? କେଉଁଠି କେତେ ପ୍ରଭାବ ପକାଇବ? ସେ ନେଇ ଏବେଠାରୁ ସ୍ପଷ୍ଟ ଆକଳନ କରିବା ସହଜ ନୁହେଁ ।
ବର୍ତ୍ତମାନ ବଙ୍ଗୋପସାଗରରେ ସମୁଦ୍ର ଜଳର ତାପମାତ୍ରା ୨୯ରୁ ୩୨ ଡିଗ୍ରୀ ସେଲସିୟସ୍ ରହୁଛି । ବାତ୍ୟା ଦାନା ବାନ୍ଧିବା ପାଇଁ ଏହା ଅନୁକୂଳ ବାତାବରଣ । ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ଅଧିକ ରହୁଥିବାବେଳେ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଛି । ଆଜି ଅପରାହ୍ନରେ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି ।