ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଖରଗୋନରେ ଗତ ବୁଧବାର ଘଟିଥିବା ଟ୍ୟାଙ୍କର ବ୍ଲାଷ୍ଟ ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ସୂଚନା ଅନୁଯାୟୀ, ରାଜସ୍ଥାନ ବିଲାଲିରୁ ମଧ୍ୟପ୍ରଦେଶର ଝିରନ୍ୟା ଯାଉଥିବା ଡିଜେଲ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଆଜନଗାଁରେ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଟ୍ୟାଙ୍କରଟିରେ ନିଆଁ ଲାଗିଯାଇଥିଲା । ନିଆଁ ଆଖପାଖ ଅଞ୍ଚଳକୁ ବ୍ୟାପିଯାଇଥିଲା । ଫଳରେ ଘଟଣାସ୍ଥଳରୁ ୨୩ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି । ସେହିପରି ଅନ୍ୟ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି । ସେପଟେ ଡିଜେଲ ଟ୍ୟାଙ୍କର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ପୋଲିସ୍ ସୂଚନା ଦେଇଛି ।