ଭୁବନେଶ୍ୱର : ରାଜ୍ୟରେ ଲାଗି ରହିବ ଘନ କୁହୁଡ଼ି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ସମ୍ଭାବନା ରହିଛି । କେତେକ ଜାଗାରେ ଘନ କୁହୁଡ଼ି ସମସ୍ୟା ସୃଷ୍ଟି କରିପାରେ ।
ଓଡ଼ିଶା ଉପକୂଳର ବଙ୍ଗୋପସାଗରରେ ଗୁରୁଚାପ ବଳୟ ଯୋଗୁ ଗୁରୁବାର ସକାଳୁ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳକୁ ଘନ କୁହୁଡ଼ି ଘେରିଥିଲା। କେତେକ ଜାଗାରେ ୧୦୦ ମିଟରରୁ ଅଧିକ ଦୂରତା ରାସ୍ତାଘାଟ ସ୍ପଷ୍ଟ ଦୃଶ୍ୟମାନ ହୋଇନଥିଲା । ଏଥିଯୋଗୁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଅନେକ ଅଞ୍ଚଳରେ ମଧ୍ୟାହ୍ନ ପରେ ବି କୁହୁଡ଼ିଆ ରହିଥିଲା ପାଗ ।
ପାଣିପାଗ ବିଭାଗ କହିଛି, ମୁଖ୍ୟତଃ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ଶୁକ୍ରବାର କୁହୁଡ଼ି ରହିବା ସମ୍ଭାବନା ଅଛି । ଶୁକ୍ରବାର ସକାଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, କଟକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ସୋନପୁର ଓ ବୌଦ୍ଧରେ ମଧ୍ୟମରୁ ଘନ କୁହୁଡ଼ି ହୋଇପାରେ । ଶୁକ୍ରବାର ବିଳମ୍ବିତ ରାତି ଓ ଶନିବାର ସକାଳେ କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ନୟାଗଡ଼ରେ ଘନ କୁହୁଡ଼ି ସମ୍ଭାବନା ଅଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଗୋଟିଏ ଦୁଇଟି ଜାଗାରେ ବର୍ଷା ହୋଇଛି । ବାରିପଦା ଓ ବାଲେଶ୍ୱରରେ ହାଲୁକା ବର୍ଷା ହୋଇଥିବାବେଳେ ଅନେକ ଜାଗାରେ ପାଗ ମେଘୁଆ ଥିଲା । ଶୁକ୍ରବାର ଭଦ୍ରକ ଓ ବାଲେଶ୍ୱରରେ ସାମାନ୍ୟ ବର୍ଷା ହୋଇପାରେ ।