ଭୁବନେଶ୍ୱର – ଗଣତନ୍ତ୍ର ପାଇଁ ପ୍ରତିଟି ଭୋଟ ମୂଲ୍ୟବାନ । ଯେପରି ମତଦାନରୁ ଜଣେ ବି ମତଦାତା ବାଦ୍ ନ ପଡ଼ନ୍ତି , ସେଥିପ୍ରତି ସର୍ବଦା ଚେଷ୍ଟିତ ରହିଛନ୍ତି ଭାରତ ନିର୍ବାଚନ କମିଶନ । ସେହିକ୍ରମରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଡ୍ରାଇଭର , କଣ୍ଡକ୍ଟର ଓ କ୍ଲିନରମାନଙ୍କୁ ମଧ୍ଯ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ଦିଆଯାଇଛି ।
ଓଡ଼ିଶାରେ ମତଦାନ ଦିନ ଯେଉଁ ଡ୍ରାଇଭର , କଣ୍ଡକ୍ଟର ଓ କ୍ଲିନରମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବେ ସେମାନେ ଯେପରି ଉଚିତ ଭାବରେ ମତଦାନ କରିପାରିବେ, ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଜଣେ ନୋଡ଼ାଲ ଅଧିକାରୀଙ୍କୁ ମନୋନୀତ କରିବେ , ଯାହାଙ୍କ ଦ୍ଵାରା ନିର୍ବାଚନ ପ୍ରକ୍ରିୟା ପାଇଁ ବ୍ୟବହୃତ ଗାଡ଼ି ଅଧିଗ୍ରହଣ କରାଯିବ । ଯେଉଁ ଡ୍ରାଇଭର , କଣ୍ଡକ୍ଟର ଓ କ୍ଲିନରମାନେ ଏହି ଗାଡ଼ିରେ ନିୟୋଜିତ ହେବେ, ତାଙ୍କର ମତଦାନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ନୋଡ଼ାଲ ଅଧିକାରୀଙ୍କ ଦ୍ଵାରା ନିଶ୍ଚିତ କରାଯିବ ଓ ସେମାନଙ୍କୁ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମତଦାନ ପାଇଁ ଫର୍ମ – ୧୨ ଯୋଗାଇ ଦିଆଯିବ । ଏହି ଫର୍ମ – ୧୨ରେ ସଂପୃକ୍ତ ଡ୍ରାଇଭର , କଣ୍ଡକ୍ଟର ଓ କ୍ଲିନରଙ୍କ ମତଦାନ ସମ୍ବନ୍ଧୀୟ ଆବଶ୍ୟକ ତଥ୍ୟ ଉଚିତ ରୂପେ ପୂରଣ ହୋଇଥବା ନିଶ୍ଚିତ କରି ନୋଡ଼ାଲ ଅଧିକାରୀ ସେମାନଙ୍କ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କୁ ଅତି କମ୍ରେ ମତଦାନ ତାରିଖର ୭ ଦିନ ପୂର୍ବରୁ ପଠାଇବେ । ଏହା ଦ୍ଵାରା ଉକ୍ତ ମତଦାତାମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇ ପାରିବ । ନିର୍ବାଚନ ପରିଚାଳନା ଅଧିନିୟମ – ୧୯୬୧ରେ ନୂତନ ଭାବେ ଯୋଡ଼ା ଯାଇଥିବା ନିୟମ ୧୮ ( କ ) ଅନୁସାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଭୋଟରମାନେ କେବଳ ‘ଫେସିଲିଟେସନ୍ ସେଣ୍ଟର’ରେ ହିଁ ନିଜ ନିଜର ମତଦାନ କରିବେ । ଏଣୁ ଏହି ଡ୍ରାଇଭର , କଣ୍ଡକ୍ଟର , କ୍ଲିନରମାନେ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ଵାରା ସ୍ଥିରୀକୃତ ସ୍ଥାନ ଓ ସମୟ ଅବଧି ମଧ୍ୟରେ ଫେସିଲିଟେସନ୍ ସେଣ୍ଟରରେ ମତଦାନ କରିବେ । ଭାରତ ନିର୍ବାଚନ କମିଶନଙ୍କ ଦ୍ଵାରା କରାଯାଇଥିବା ଏହି ବ୍ୟବସ୍ଥା ଯେପରି ଓଡ଼ିଶାରେ ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହୋଇପାରିବ ସେଥି ପାଇଁ ସମସ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ କମିଶନ ଓ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।