ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ ଜାରି କରିଛି । ନଭେମ୍ବର ୨ରେ ଜେରା ପାଇଁ ହାଜର ହେବାକୁ କହିଛି କେନ୍ଦ୍ରୀୟ ସଂସ୍ଥା । ଏହା ପୂର୍ବରୁ ଏପ୍ରିଲ ମାସରେ ସିବିଆଇ କେଜ୍ରିୱାଲଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା କରିଥିଲା।
ମଦ ନୀତି ଦୁର୍ନୀତି ମାମଲାରେ ସୋମବାର ମନୀଷ ସିସୋଦିଆଙ୍କର ଜାମିନ ଆବେଦନ ଖାରଜ କରି ଦେଇଥିଲେ ସୁପ୍ରିମକୋର୍ଟ। ଦୁର୍ନୀତିରେ ୩୩୮ କୋଟିର ନେଣଦେେଣ ହୋଇଥିବା ଇଡି ଅସ୍ଥାୟୀ ଭାବେ ପ୍ରମାଣିତ କରିଥିବାରୁ କୋର୍ଟ ଜାମିନ ଦେବାକୁ ମନା କରିଦେଇଥିଲେ। ସୁପ୍ରିମକୋର୍ଟ ରାୟ ଆସିବା ପରେ ଏଥିରେ ଅସହମତି ପ୍ରକାଶ କରିଥିଲେ ଆପ୍ ମନ୍ତ୍ରୀ ଅତିଶୀ। ସେ କହିଥିଲେ ଯେ ଦଳ ସୁପ୍ରିମକୋର୍ଟଙ୍କୁ ସମ୍ମାନ ଜଣାଉଛି। ହେଲେ ଦଳ କୋର୍ଟଙ୍କ ଜାମିନ ଖାରଜ ନିର୍ଦ୍ଦେଶ ଉପରେ ସହମତ ନାହିଁ ବୋଲି ଅତିଶୀ କହିଥିଲେ। ଦଳ ଏହି ଘଟଣାରେ ପରବର୍ତ୍ତି ଆଇନଗତ ପଦକ୍ଷେପ ଦେଖିବ। ଏକ ରିଭିୟୁ ପିଟିସନ ଦାଖଲ କରାଯାଇପାରେ ବୋଲି ଅତିଶୀ କହିଥିଲେ। ଏହା ପୂର୍ବରୁ ଏପ୍ରିଲ ୧୬ରେ କଥିତ ଅବକାରୀ ନୀତି ଦୁର୍ନୀତି ମମଲାରେ ସିବିଆଇ ଅରବିନ୍ଦ କେଜ୍ରିୱାଲଙ୍କୁ ୯ ଘଣ୍ଟା ପଚରାଉଚରା କରିଥିଲା । ତଦନ୍ତକାରୀ ଏଜେନ୍ସି ପୂର୍ବରୁ ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି ।