ନୂଆଦିଲ୍ଲୀ: ଏନସିଇଆରଟି ପାଠ୍ୟ ପୁସ୍ତକରୁ ଅନେକ ଅଧ୍ୟାୟକୁ ବାଦ୍ ଦିଆଯିବା ନେଇ ଦେଶର ୨୫୦ ଐତିହାସିକ ଉଦବେଗ ପ୍ରକାଶ କରିଛନ୍ତି। ସ୍କୁଲ ପାଠ୍ୟପୁସ୍ତକରୁ ଇତିହାସର ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟଗୁଡ଼ିକୁ ହଟାଇବା ଏକ ବିଭାଜନକାରୀ ଏବଂ ପକ୍ଷପାତପୂର୍ଣ୍ଣ ପଦକ୍ଷେପ ବୋଲି ସେମାନେ କହିଛନ୍ତିି । ସେମାନେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।
ନିକଟରେ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ବିଭିନ୍ନ ଶ୍ରେଣୀର ଇତିହାସ ବହିରୁ କିଛି ଅଧ୍ୟାୟକୁ ହଟାଇ ଦେଇଥିଲା । ବିଶେଷକରି ମୋଗଲ ସାମ୍ରାଜ୍ୟ ସହ ଜଡିତ କିଛି ଅଧ୍ୟାୟକୁ ଦ୍ୱାଦଶ ଶ୍ରେଣୀ ପାଠ୍ୟ ପୁସ୍ତକରୁ ଏବଂ ଉପନିବେଶବାଦକୁ ୧୧ ଶ୍ରେଣୀ ପୁସ୍ତକରୁ ହଟାଇ ଦିଆଯାଇଛି | ଏହାଛଡ଼ା ମହାତ୍ମା ଗାନ୍ଧୀଙ୍କ ହତ୍ୟା ଏବଂ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସହ ଜଡିତ କିଛି ଅଂଶ ମଧ୍ୟ ପୁସ୍ତକରୁ ବାଦ୍ ଦିଆଯାଇଛି। ଐତିହାସିକମାନେ ଏକ ବିବୃତିରେ କହିଛନ୍ତି ଯେ, କରୋନା ମହାମାରୀରେ ପିଲାଙ୍କ ଉପରୁ ବୋଝ କମ୍ କରିବା ବାହାନାରେ ୨୦୦୨ ଗୁଜରାଟ ଦଙ୍ଗା, ଜରୁରୀକାଳୀନ ପରିସ୍ଥିତି, ମୋଗଲ ସାମ୍ରାଜ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟକୁ ଇତିହାସ ବହିରୁ ହଟାଇ ଦିଆଯାଇଛି । ମୋଗଲମାନେ ବହୁ ଶତାବ୍ଦୀ ଧରି ଭାରତରେ ଶାସନ କରିଥିଲେ । ସେମାନଙ୍କ ବିଷୟରେ ପଢ଼ିବା ବିନା ଭାରତୀୟ ଇତିହାସ ବୁଝି ହେବ ନାହିଁ ।
ଏନସିଇଆରଟି ନିଷ୍ପତ୍ତିକୁ ବିରୋଧ କରି ଏହି ବିବୃତି ଜାରି କରିଥିବା ଐତିହାସିକମାନଙ୍କ ମଧ୍ୟରେ ରୋମିଲା ଥାପର, ଜୟନ୍ତୀ ଘୋଷ, ମୃଦୁଲା ମୁଖାର୍ଜୀ, ଅପୂର୍ବାନନ୍ଦ, ଇରଫାନ୍ ହବିବ, ପୂର୍ବତନ ଡିୟୁ ପ୍ରଫେସର ଅନୀତା ରାମପାଲ, ଲେଖକ ବଦ୍ରି ରାଇନା ଏବଂ ଅପନ୍ଦର ସିଂଙ୍କ ପରି ବିଶିଷ୍ଟ ଐତିହାସିକମାନେ ଅଛନ୍ତି।
ଐତିହାସିକମାନେ ଏହି ପଦକ୍ଷେପକୁ ସମାଲୋଚନା କରି କହିଛନ୍ତି ଯେ ଏହି ନିଷ୍ପତ୍ତି ଭାରତୀୟ ଉପମହାଦେଶର ସମ୍ବିଧାନ ଏବଂ ସଂସ୍କୃତି ବିରୁଦ୍ଧ ଅଟେ। ଏହା ରଦ୍ଦ କରାଯିବା ଉଚିତ୍ | ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ ସ୍ତରର ଶିକ୍ଷକମାନଙ୍କର ଏକ ସଂଗଠନ ଡେମୋକ୍ରାଟିକ୍ ଟିଚର୍ସ ଫ୍ରଣ୍ଟ କହିଛି, ଯଦି ‘ହ୍ବାଟସଆପ୍ ୟୁନିଭର୍ସିଟି’କୁ ଭାରତୀୟ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଗ୍ରାସ କରିବାକୁ ମୁକ୍ତହସ୍ତ ଦିଆଯାଏ, ତେବେ ଭାରତୀୟ ଗଣତନ୍ତ୍ର ଗୁରୁତର ଭାବେ ପ୍ରଭାବିତ ହେବ।
ଅନ୍ୟପକ୍ଷରେ ଐତିହାସିକ ତଥ୍ୟ ଚପାଇବା ଅଭିଯୋଗକୁ ଏନସିଇଆରଟି ଅସ୍ୱୀକାର କରିଛି | କୋଭିଡ୍ ମହାମାରୀ ଦ୍ୱାରା ପ୍ରଭାବିତ ସ୍କୁଲ ପିଲାଙ୍କ ଉପରୁ ଚାପ କମ୍ କରିବାକୁ ଏହା ଏକ ପେଶାଦାର ନିଷ୍ପତ୍ତି । ଏହା ପଛରେ କୌଣସି ରାଜନୈତକ ଉଦ୍ଦେଶ୍ୟ ନାହିଁ ବୋଲି ଦେଶର ସ୍କୁଲ୍ ଶିକ୍ଷା ଉପରେ ଏହି ସର୍ବୋଚ୍ଚ ସଂସ୍ଥା କହିଛି।